Odia News Portal

ବିଜୟଧାରାକୁ ଫେରିଲା କେକେଆର

ଅହମ୍ମଦାବାଦ : କ୍ରମାଗତ ଚାରି ମ୍ୟାଚରେ ହାରିବା ପରେ ବିଜୟ ଧାରାକୁ ଫେରିଲା କୋଲକାତା ନାଇଟ୍ ରାଇଡର୍ସ (କେକେଆର) । ଇଅନ୍ ମୋର୍ଗାନଙ୍କ କପ୍ତାନୀ ଇନିଂସକୁ ଭିତି କରି କେକେଆର ଦମଦାର ବିଜୟ ହାସଲ କରିଛି ।ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ୍‌ର ୨୧ତମ ମୁକାବିଲାରେ ଇଅନ ମୋର୍ଗାନଙ୍କ ଅଧିନାୟକତ୍ଵ ଇନିଂସ ଦମ୍‌ରେ କୋଲକାତା ପଞ୍ଜାବ କିଙ୍ଗ୍ସକୁ ୫ ଓ୍ଵିକେଟ୍‌ରେ ପରାସ୍ତ କରି ଷଷ୍ଠ ମ୍ୟାଚ୍‌ରୁ ଦ୍ଵିତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ପଞ୍ଜାବ ଷଷ୍ଠ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ଭୋଗିଛି।

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ୯ ଓ୍ଵିକେଟ୍ ହରାଇ ୧୨୩ ରନ କରିଥିଲା। ଦଳ ପକ୍ଷରୁ ମୟଙ୍କ ଅଗ୍ରଓ୍ଵାଲ ୩୧ ରନ କରିଥିବା ବେଳେ କ୍ରିସ୍ ଜୋର୍ଡାନ ୧୮ ବଲ୍‌ରୁ ଦ୍ରୁତ ୩୦ ରନ କରିଥିଲେ। ଜବାବରେ ଇଅନ ମୋର୍ଗାନଙ୍କ ଅପରାଜିତ ୪୭ ଏବଂ ରାହୁଲ ତ୍ରିପାଠୀଙ୍କ ୪୧ ରନ ଜରିଆରେ କୋଲକାତା ୧୬.୪ ଓଭରରେ ୫ ଓ୍ଵିକେଟ୍ ହରାଇ ୧୨୬ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଛି। ଦିନେଶ କାର୍ତ୍ତିକ ୬ ବଲ୍‌ରୁ ୧୨ ରନ କରି ଅପରାଜିତ ଥିଲେ।

୧୨୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା କୋଲକାତା ନାଇଟ୍‌ ରାଇଡର୍ସକୁ ଆରମ୍ଭରୁ ଝଟକା ଲାଗିଥିଲା। ୫ ରନ ସ୍କୋରରେ ନୀତିଶ ରାଣା(୦) ବିଦାୟ ନେଇଥିଲେ। ଶୁବମାନ ଗିଲ୍‌(୯ ରନ) କରି ଆଉଟ୍ ହୋଇଥିଲେ। ପୁଣି ୧୭ ରନ ସ୍କୋରରେ ସୁନିଲ ନାରିନେ(୦) ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଲେ ୧୭ ରନରେ ୩ ଓ୍ଵିକେଟ୍ ହରାଇ ସଙ୍କଟରେ ପଡିଥିବା କୋଲକାତାକୁ ଅଧିନାୟକ ଇଅନ ମୋର୍ଗାନ ଓ ରାହୁଲ ତ୍ରିପାଠୀ ସାହା ହୋଇଥିଲେ। ଦୁଇ ବ୍ୟାଟସମ୍ୟାନ ସଂଯମତାର ସହ ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟ୍‌ରେ ୬୬ ରନ ଯୋଡି ଦଳର ବିଜୟ ପାଇଁ ମାର୍ଗ ପ୍ରଶସ୍ତ କରିଥିଲେ।

ରାହୁଲ ତ୍ରିପାଠୀ ୩୨ ବଲ୍‌ରୁ ୪୧ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏହା ପରେ ଆନ୍ଦ୍ରେ ରସେଲ(୧୦) ରନ ଆଉଟ୍ ହୋଇଥିଲେ। ୯୮ ରନରେ ୫ ଓ୍ଵିକେଟ୍ ହାସଲ କରିଥିଲେ ମଧ୍ୟ ପଞ୍ଜାବ ପାଇଁ ଏହା ପର୍ଯ୍ୟାପ୍ତ ହୋଇନଥିଲା। ମୋର୍ଗାନ ଓ ଦିନେଶ କାର୍ତ୍ତିକ ଔପଚାରିକତା ପୂରଣ କରିଥିଲେ। କୋଲକାତା ୧୬.୪ ଓଭରରେ ୫ ଓ୍ଵିକେଟ୍  ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ମୋର୍ଗାନ ୪୦ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୪୭ ଓ ଦିନେଶା କାର୍ତ୍ତିକ ୧୨ ରନରେ ଅପରାଜିତ ଥିଲେ।