ଚଳିତ ମାସରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତାକୁ ଭାରତ ଅଣାଯିବ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଆଣିବାଲାଗି ଯୋଜନା ହୋଇଛି । ସେଥିରୁ ୭ଟି ଅଣ୍ଡିରା ଓ ୫ଟି ମାଈ । ପୂର୍ବରୁ ଗତବର୍ଷ ସେପ୍ଟେମ୍ବରରେ ପ୍ରଥମ ପର୍ଯ୍ୟାୟରେ ନାମ୍ବିଆରୁ ୮ଟି ଚିତା ଅଣାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷିଣ ଅଫ୍ରିକାରୁ ୧୨ଟି ଚିତା ଅଣାଯିବ । ଏହି ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡାଯିବ । ପୂର୍ବରୁ ଅଣାଯାଇଥିବା ଚିତାଙ୍କୁ ମଧ୍ୟ କୁନୋରେ ଛଡାଯାଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୭୨ତମ ଜନ୍ମ ଦିନରେ ସେପ୍ଟେମ୍ବର ୧୭ ତାରିଖରେ ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଭାରତରେ ୭୦ବର୍ଷ ପୂର୍ବରୁ ଚିତା ଲୋପ ପାଇଥିଲାବେଳେ ପୁଣିଥରେ ସେମାନଙ୍କ ବଂଶ ବିସ୍ତାର କରିବା ଲାଗି କେନ୍ଦ୍ର ସରକାର ଏଭଳି ଯୋଜନା ହାତକୁ ନେଇଛନ୍ତି । ଏଥିପାଇଁ ଗତବର୍ଷ ଜୁଲାଇ ୨୦ରେ ନାମ୍ବିଆ ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ପ୍ରୋଜେକ୍ଟ ଟାଇଗର ଅଧିନରେ ୨୦୨୧-୨୨ରୁ୨୦୨୫-୨୬ ମଧ୍ୟରେ ଏଥିପାଇଁ ୩୮.୭୦କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି ।
