Odia News Portal

ଗିନିଜ୍‌ ବିଶ୍ୱ ରେକର୍ଡ କଲେ ବ୍ୟକ୍ତି, ଦାନ୍ତରେ ଟାଣି ଟାଣି ନେଲେ ୧୫ ହଜାର ୭୩୦ କିଲୋର ଟ୍ରକ୍‌

ସାରା ବିଶ୍ୱରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସମୟ ସମୟରେ ନିଜର ଅନ୍ତର୍ନିହିତ ଶାରୀରିକ କ୍ଷମତା ପ୍ରଦର୍ଶନ କରନ୍ତି ଏବଂ ଏଥିରେ ଅଦ୍ଭୁତ କାରନାମା କରି ଦେଖାନ୍ତି। ଆଉ ଏହାକୁ ଦେଖି ଲୋକଙ୍କର ଆଶ୍ଚର୍ଯ୍ୟର ସୀମା ରୁହେ ନାହିଁ। ଅନେକ ବାର କିଛି ଲୋକଙ୍କୁ ବିଶ୍ୱ ରେକର୍ଡ କରିବାର ମଧ୍ୟ ଦେଖାଯାଇଥାଏ, ଯାହାଙ୍କର କାରନାମା କୌଣସି ସୁପରହିରୋଠାରୁ କମ୍‌ ନ ଥାଏ। ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ନିକଟରେ ଜଣେ ବ୍ୟକ୍ତି ନିଜ ଶାରୀରିକ ଶକ୍ତି ଦ୍ୱାରା ଅଦ୍ଭୁତ କାର୍ଯ୍ୟ କରି ଦେଖାଇଛନ୍ତି, ଯାହାକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏହାର ଏକ ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ନିଜ ଦାନ୍ତଗୁଡ଼ିକ ସାହାଯ୍ୟରେ ଏକ ଟ୍ରକ୍‌କୁ ରଶିରେ ଟାଣୁଛନ୍ତି। ତାଙ୍କ ଦାନ୍ତର ଶକ୍ତି ଦେଖି ଲୋକେ ହତ୍‌ବାକ ହୋଇପଡ଼ିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡ ନିଜର ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି। ଏଥିରେ ଦେଖିବାକୁ ମିଳୁଛି ଯେ ମିଶରରେ ରହୁଥିବା ଅଶରଫ୍‌ ସୁଲେମାନ ନାମକ ବ୍ୟକ୍ତି ନିଜର ଶକ୍ତିଶାଳୀ ଦାନ୍ତଗୁଡ଼ିକ ଦ୍ୱାରା ଆଶ୍ଚର୍ଯ୍ୟଜନକ କାରନାମା କରି ଦେଖାଉଛନ୍ତି। ସୂଚନା ଅନୁସାରେ, ଅଶରଫ୍‌ ନିଜ ଦାନ୍ତର ବଳ ଦ୍ୱାରା ୧୫ ହଜାର ୭୩୦ କିଲୋର ଟ୍ରକ୍‌କୁ ଟାଣି ନେଇଛନ୍ତି।

ଭିଡିଓରେ ଦେଖାଯାଇ ପାରିବ, ଅଶରଫ୍‌ ଏକ ରଶିକୁ ନିଜ ଦାନ୍ତରେ କାମୁଡ଼ି ଧରିଛନ୍ତି ଏବଂ ରଶିର ଅନ୍ୟ ପାର୍ଶ୍ୱ ଟ୍ରକ୍‌ରେ ବନ୍ଧା ହୋଇଛି। ଏହାପରେ ଅଶରଫ୍‌ ନିଜ ଦାନ୍ତ ସାହାଯ୍ୟରେ ଟ୍ରକ୍‌କୁ ଟାଣିବା ଆରମ୍ଭ କରୁଛନ୍ତି ଏବଂ ଦେଖୁ ଦେଖୁ ଟ୍ରକ୍‌ଟିକୁ ସେ ଆଗକୁ ନେବାରେ ସଫଳ ହୋଇଯାଉଛନ୍ତି। ବ୍ୟକ୍ତିଙ୍କର ଏଭଳି କାରନାମା ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ୟୁଜରମାନଙ୍କ ହୋସ୍‌ ଉଡ଼ି ଯାଇଛି। ଖବର ଲେଖାଯିବା ସୁଦ୍ଧା ଏହି ଭିଡିଓକୁ ସୋସିଆଲ ମିଡିଆରେ ୪ ଲକ୍ଷ ୮୯ ହଜାର ଭ୍ୟୁଜ୍‌ ଏବଂ ୨୬ ହଜାରରୁ ଅଧିକ ଲାଇକ୍ସ ମିଳିସାରିଛି।