Odia News Portal

ଅଲ୍ଲୀଙ୍କ ଚମକରେ ଚମକିଲା ଚେନ୍ନାଇ

ମୁମ୍ବାଇ : ଆଇପିଏଲ୍‌ର ୧୨ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୪୫ ରନରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗ୍ସ । ଏହି ବିଜୟ ସହିତ ଚେନ୍ନାଇ ତୃତୀୟ ମ୍ୟାଚ୍‌ରୁ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ସେହି ସମାନ ମ୍ୟାଚ୍‌ରୁ ରାଜସ୍ଥାନ ରୟାଲ୍ସ ଦ୍ଵିତୀୟ ପରାଜୟ ଭୋଗିଛି। ବଡ ବ୍ୟବଧାନର ବିଜୟ ସହ ଚେନ୍ନାଇ ସୁପରକିଙ୍ଗ୍ସ ପଏଣ୍ଟ ଟେବୁଲ୍‌ର ଦ୍ଵିତୀୟ ସ୍ଥାନରେ ପହଞ୍ଚିଛି। ଏହି ବିଜୟରେ ମୋଇନ ଅଲ୍ଲୀ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ବ୍ୟାଟ୍‌ରେ ୨୬ ରନ କରିବା ସହ ବୋଲିଂରେ ୩ ଓ୍ଵିକେଟ୍ ନେଇଛନ୍ତି।

ଆଜି ରାଜସ୍ଥାନ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଚେନ୍ନାଇର ଓପନର ଋତୁରାଜ ଗାଇକ୍ବାଡ୍ ମାତ୍ର ୧୦ ରନ କରି ଆଉଟ ହେବାପରେ ଫାଫ ଡୁ ପ୍ଲେସିସ ଓ ମୋଇନ ଅଲ୍ଲୀ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଡୁ ପ୍ଲେସିସ ୩୩ ଓ ମୋଇନ ୨୬ ରନ କରିଥିଲେ । ଏମାନଙ୍କ ପରେ ଆସିଥିବା ସୁରେଶ ରାଇନା ଓ ଅମ୍ବାତି ରାଇଡୁ ଯଥାକ୍ରମେ ୧୮ ଓ ୨୭ ରନ କରିଥିଲେ । ଅନ୍ୟପକ୍ଷରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୧୮, ସାମ କରନ ୧୩ ଓ ଡାଓ୍ବିନ ବ୍ରାଭୋ ୨୦ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ଚେତନ ସାକାରିଆ ୩ଟି ଓ କ୍ରିସ ମୋରିସ ୨ଟି ଓ୍ବିକେଟ ନେଇଥିଲେ।

୧୮୯ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ରାଜସ୍ଥାନ ରୟାଲ୍ସ ତରଫରୁ ଜୋସ୍ ବଟଲରଙ୍କ ଛାଡି ଦେଲେ ଆଉ କୌଣସି ବ୍ୟାଟସନ୍ୟାନ ଚେନ୍ନାଇ ବୋଲରଙ୍କ ମୁକାବିଲା କରି ପାରିନଥିଲେ। ବିଶେଷ କରି ମୋଇନ ଅଲ୍ଲୀ ଓ ରବୀନ୍ଦ୍ର ଜାଡେଜା ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ବଟଲର ୩୫ ବଲ୍‌ରୁ ୫ ଚୌକା ୨ ଛକା ସହ ୪୯ ରନ କରି ଜାଡେଜାଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଏହା ପରେ ରାଜସ୍ଥାନ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବିଜୟଠୁ ବହୁ ଦୂରରେ ରହି ଯାଇଥିଲା। ନିର୍ଦ୍ଧାରିତ ଓଭରରେ ରାଜସ୍ଥାନ ୯ ଓ୍ଵିକେଟ୍ ହରାଇ ୧୪୩ ରନ କରିଥିଲା। ଶେଷ ଆଡକୁ ରାହୁଲ ତେଓ୍ଵତିଆ ୨୦ ଓ ଜୟଦେବ ଉନାଦକତ ୨୪ ରନ କରିଥିଲେ।