Odia News Portal

ମୋରିସଙ୍କ ଧମାକାରେ ରୟାଲ୍ସ ବିଜୟୀ

ମୁମ୍ବାଇ : କ୍ରିସ ମୋରିସଙ୍କ ଧମାକାରେ ଜବରଦସ୍ତ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ଗତ ମ୍ୟାଚରେ ସହଜ ବିଜୟରୁ ଅଳ୍ପକେ ପରାଜୟବରଣ କରିଥିବା ରାଜସ୍ଥାନ କିନ୍ତୁ ଏହି ମ୍ୟାଚ୍ରେ ପରାଜୟମୁହାଁ ମ୍ୟାଚକୁ ଜିତିନେଇଛି । ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସ ଆଗରେ ୧୪୮ ରନର ବିଜୟ ଲକ୍ଷ୍ୟ ରଖଥିବା ବେଳେ ରାଜସ୍ଥାନ 2 ବଲ ବାକିଥାଇ ବିଜୟ ହାସଲ କରିଥିଲା ।

ଆଜି ରାଜସ୍ଥାନ ଟସ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମାତ୍ର ଦିଲ୍ଲୀର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ଶସ୍ତାରେ ପାଭିଲିୟନ ଫେରିବା ପରେ ଦଳ ବିପଦରେ ପଡ଼ିଥିଲା । ତେବେ ଅଧିନାୟକ ଋଷଭ ପନ୍ତ ସତର୍କତାର ସହ ଖେଳି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେହିପରି ଲଲିତ ଯାଦବ ୨୦ ରନ ଓ ଟମ କୁରାନ ୨୧ ରନ କରିଥିଲେ । ମାତ୍ର ନିମ୍ନ ଭାଗ ବ୍ୟାଟ୍ସମ୍ୟାନମାନେ ମଧ୍ୟ ବିଶେଷ ଯୋଗଦାନ ଦେଇପାରିନଥିଲେ । ଫଳରେ ଦିଲ୍ଲୀ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୭ ରନ କରିଥିଲା । ଆରଆରର ଦ୍ରୁତ ବୋଲର ଜୟଦେବ ଉନାଦକତ ୩ଟି ସଫଳତା ପାଇଥିବାବେଳେ ମୁସ୍ତାଫିଜୁର ରେହମାନ ୨ଟି ସଫଳତା ପାଇଥିଲେ ।

ସେପଟେ ଆଜିର ମ୍ୟାଚ୍‌ରେ ଦିଲ୍ଲୀ ଭଳି ଆରଆର ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା। ପୂର୍ବ ମ୍ୟାଚ୍‌ରେ ଶତକ କରିଥିବା ଅଧିନାୟକ ସଞ୍ଜୁ ସାମସନ୍‌ କେବଳ ୪ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ୧୩ ରନ୍‌ରେ ଦଳକୁ ଦୁଇଟି ଝଟ୍‌କା ଲାଗିଥିଲା। ଏହା ପରେ ୧୭ ରନ୍‌ରେ ୩, ୩୬ ରନ୍‌ରେ ୪, ୪୨ ରନ୍‌ରେ ୫, ୯୦ ରନ୍‌ରେ ୬ଟି ଓ୍ବିକେଟ ହରାଇଥିଲା ରାଜସ୍ଥାନ। ଏହା ପରେ ୧୦୪ ରନ୍‌ରେ ୬୨ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ ଡେଭିଡ୍‌ ମିଲର। ଦିଲ୍ଲୀର ଆଭେସ ଖାନ ସର୍ବାଧିକ ୩ଟି ଓ୍ବିକେଟ ଅକ୍ତିଆର କରିଥିଲେ।