Odia News Portal

ରାଜଧାନୀରେ ମଶା କରୁଛନ୍ତି ଉତ୍ପାତ

ରାଜଧାନୀରେ ବିଭିନ୍ନ ସ୍ଥାନରେ ବଢି ଚାଲିଛି ଏହି ମଶା ମାନଙ୍କର ପ୍ରାର୍ଦୁଭାବ । ଏହି ଲିଷ୍ଟରେ ସବୁଠୁ ଆଗରେ ରାଜଧାନୀର ବଡ଼ଗଡ଼ ଅଞ୍ଚଳ। ଏହି ଅଞ୍ଚଳ ବାସୀଙ୍କୁ ଏମିତି କଲବଲ କରୁଛନ୍ତି ମଶା, ନା ଟିକେ ଶାନ୍ତିରେ ଲୋକେ ଶୋଇ ପାରୁଛନ୍ତି ନା ଉଠି ବସି ପାରୁଛନ୍ତି। ସଂଧ୍ୟା ହେଉ ହେଉ ଏଠାକାର ବାସିନ୍ଦା ଝରକା, କବାଟ ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି।

ମିଳିଥିବା ସୂଚନାନୁସାରେ, କିଛି ଦିନ ତଳେ ବଡ଼ଗଡ଼ ଗ୍ରାମରେ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି । ଯାହା ଖବର ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଠାରେ ଏକ ସର୍ବେକ୍ଷଣ କରାଯାଇଥିଲା। ତେବେ ରିପୋର୍ଟରୁ ଜଣାପଡିଛି ପୂରା ରାଜଧାନୀ‌ରେ ମଶାଙ୍କ ସାନ୍ଦ୍ରତା ବା ଘନତ୍ବ ୮୦ ରହିଥିବା ବେଳେ କେବଳ ବଡ଼ଗଡ଼ରେ ଏହା ୧୬୦ ଟପି ଯାଇଛି।

ଜାତୀୟ ବାତଜ୍ୱର ନିରାକରଣ କାର୍ଯ୍ୟକ୍ରମର ମାନଦଣ୍ଡ ଅନୁସାରେ ପ୍ରତି ୧୦ ମ୍ୟାନ୍‌-ଆୱାର ଡେନ୍‌ସିଟି(ସାନ୍ଦ୍ରତା) ଅନୁସାରେ ୫୦ରୁ କମ୍‌ ମଶା ରହିବା କଥା। ସାନ୍ଦ୍ରତା ୫୦ରୁ ଅଧିକ ଓ ୬୫ରୁ କମ୍‌ ରହିଲେ, ଏହାକୁ ମଧ୍ୟମ ବୋଲି ଧରାଯାଇଥାଏ। ଏହା ଉପରକୁ ରହିଲେ ତାହାକୁ ଉଦ୍‌ବେଗଜନକ ବୋଲି ଧରାଯାଏ। କିଛି ଦିନ ତଳେ ରାଜଧାନୀର ବିଭିନ୍ନ ୱାର୍ଡରେ ହୋଇଥିବା ସର୍ଭେରେ ମଶାଙ୍କ ସାନ୍ଦ୍ରତା ୮୦ରୁ ୧୦୦ ମଧ୍ୟରେ ଥିବା ବେଳେ ବଡ଼ଗଡ଼ ଗ୍ରାମ (ୱାର୍ଡ ୪୪)ରେ ଏହା ୧୬୦ ଛୁଇଁଛି।