Odia News Portal

ଭୁବନେଶ୍ୱରରେ ଦେଶର ପ୍ରଥମ ଫାୟାର ପାର୍କ

ଭୁବନେଶ୍ୱର: ଅଗ୍ନିଶମ ବିଭାଗର ନୂଆ ଓ୍ୱେବ୍‌ସାଇଟ୍‌ ଓ ଫାୟାର ପାର୍କକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ଶନିବାର ୩ଟା ୩୦ ରୁ ୫ଟା ପର୍ଯ୍ୟନ୍ତ ସାଧାରଣ ଲୋକ ପାଇଁ ଏହି ଫାୟାର ପାର୍କ ଖୋଲିବ । ଅଗ୍ନିଶମ ବିଭାଗ କିଭଳି କାର୍ଯ୍ୟ କରେ, ପ୍ରାକୃତିକ ବିପର୍ଯ୍ୟୟକୁ କିଭଳି ମୁକାବିଲା କରେ ସେ ସବୁ ଏହି ପାର୍କରେ ପ୍ରଦର୍ଶନ କରାଯିବ ।

ଅଗ୍ନିଶମ ବିଭାଗର ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଉପସ୍ଥିତ ରହିଥିଲେ । ଲୋକଙ୍କ ଆୱାରନେସ୍‌ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଏହି ପାର୍କରେ ପ୍ରବେଶ କରିବାକୁ ସୁଯୋଗ ମିଳିବ । ନିଆଁ ଲାଗିଲେ କିଭଳି ଏହି ପରିସ୍ଥିତିର ମୁକାବିଲା କରାଯିବ, ସେ ନେଇ ଶିକ୍ଷା ଦିଆଯିବ । ପୂର୍ବରୁ ‘ଅଗ୍ନିଶମ ସେବା’ ନାମରେ ଏକ ପୋର୍ଟାଲ ମାଧ୍ୟମରେ ଏହି ସେବା ଯୋଗାଇ ଦିଆଯାଇଥିଲା । ଏହାବାଦ୍‌ ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟ ଉପରେ ଜନସାଧାରଣଙ୍କ ମତାମତ ନେଇ ଏହାକୁ ଆହୁରି ଜନାଭିମୁଖୀ କରିବା ଉଦ୍ଦେଶ୍ୟରେ ଅଗ୍ନିଶମ ସେବା ସଂସ୍ଥାକୁ ‘ମୋ ସରକାର’ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଓ୍ୱେବ୍‌ସାଇଟ୍ ଜରିଆରେ ଅଗ୍ନିଶମ ବିଭାଗର ବିଭିନ୍ନ କାର୍ଯ୍ୟ ଦକ୍ଷତା, ସଫଳତା, ଡ଼କ୍ୟୁମେଣ୍ଟାରି ବିଷୟରେ ଲୋକଙ୍କୁ ଅବଗତ କରାଯିବ ।