Odia News Portal

ଆତ୍ମହତ୍ୟା ଉଦ୍ୟମର ଆଗୁଆ ଖବରକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର ()   ବିଧାନସଭା ସ୧ୁଖରେ ତିନି ତିନିଟି ଆତ୍ମହତ୍ୟା ଉଦ୍ୟମ ଏବେ ପୁଲିସ୍‍ ଓ ପ୍ରଶାସନର ନିଦ ହଜାଇ ଦେଇଥିବାବେଳେ ଏହି ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିମାନେ କିଭଳି ଆସୁଛନ୍ତି ଓ ଏମାନଙ୍କୁ କିଏ ଆଣୁଛି ତାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି । ବିଶେଷକରି କିରୋସିନି ଧରି ବିଧାନସଭା ନିକଟରେ ପହଞ୍ଚୁଥିବା ଏହି ଲୋକମାନଙ୍କ ସଂକ୍ରାନ୍ତରେ କିଭଳି ନିର୍ଦ୍ଧିଷ୍ଟ କିଛି ଗଣମାଧ୍ୟମ ଆଗୁଆ ସୂଚନା ପାଇଯାଉଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ବିଧାନସଭା ସ୧ୁଖରେ ପ୍ରଥମ ଘଟଣାଟି ଥିଲା ନୟାଗଡ ଜିଲ୍ଲା ମୃତ ପରୀର ପିତା ମାତାଙ୍କର । ଯେତେବେଳେ ବିଧାନସଭା ଭିତରେ ଆଇନ୍‍ଶୃଙ୍ଖଳା ନେଇ ଆଲୋଚନା ହେଉଥିଲା ଠିକ୍‍ ସେତିକି ବେଳେ ପରୀର ପିତାମାତା ବିଧାନସଭା ସ୧ୁଖରେ ଆସି ଆତ୍ମହତ୍ୟା ଉଦ୍ୟମ କଲେ । ଏହି ଘଟଣାର ସୁରାକ ଗୁଇନ୍ଦା ପୁଲିସ୍‍ ପାଇବା ପୂର୍ବରୁ ନିର୍ଦ୍ଧିଷ୍ଟ କିଛି ଗଣମାଧ୍ୟମ ପାଇଗଲେ । ଘଟଣା ଘଟିବାର କିଛି ସମୟ ପରେ ପରୀ ଘଟଣା ସହିତ ଜଡିତ କିଛି ବ୍ୟକ୍ତି ଗଣମାଧ୍ୟମରେ ଆସି ମତ ରଖିବା ଏବେ ଘଟଣାକୁ ଅଧିକ କୁହେଳିକାମୟ କରିଛି ।

ଠିକ୍‍ ସେହିଭଳି ଗତକାଲି ତିନି ଜର ଚାଷୀ ହାତରେ କିରୋସିନି ଧରି ଆସି ବିଧାନସଭାର ପ୍ରବେଶପଥରେ ପହଞ୍ଚିଗଲେ । ଯେତେବେଳେ ଚାଷୀମାନେ ସେଠାରେ ଆତ୍ମହତ୍ୟା ଉଦ୍ୟମ କଲେ ସେତେବେଳେ ମାଳ ମାଳ ପୁଲିସ୍‍ ଉପସ୍ଥିତ ଥିଲେ । ସେମାନେ ଚାଲି ଚାଲି ଆସି ସେଠାରେ ପହଞ୍ଚିଥିଲେ ବି ଗୁଇନ୍ଦା ପୁଲିସ୍‍ ଖବର ପାଇଲା ନାହିଁ । ହେଲେ ପୂର୍ବ ଘଟଣା ଭଳି ନିର୍ଦ୍ଧିଷ୍ଟ କିଛି ଗଣମାଧ୍ୟମ ଏହାର ଆଗୁଆ ସୂଚନା ପାଇ ସେଠାରେ ପ୍ରସ୍ତୁତ ହୋଇ ରହିଥିଲେ । ଚାଷୀମାନଙ୍କର ଅଭିଯୋଗ କିମ୍ବା ଉଦ୍ୟମ ନେଇ କୌଣସି ପ୍ରଶ୍ନ ନଥିବାବେଳେ ସେମାନେ ବଡମ୍ବା ନରସିଂହପୁର ଅଞ୍ଚଳରୁ ହାତରେ କିରୋସିନି ଧରି ଆସି ବିଧାନସଭା ଫାଟକ ନିକଟରେ ପହଞ୍ଚିବାକୁ ଏତେ ସହଜରେ ଗ୍ରହଣ କରିହେଉନାହିଁ ।

ଏହାପରେ ଅନୁରୂପ ଭାବେ ଆଉ ଗୋଟିଏ ଘଟଣା ଘଟିଛି । ତେବେ କମିଶନରେଟ ପୁଲିସ୍‍ର ଟାଇଟ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରିଥିବା ମା’ ପୁଅ ବିଧାନସଭା ଠାରୁ କିଛି ଦୂରରେ ଏହା କରିଥିଲେ । ଜଗତ୍‍ସିଂହପୁର ଅଞ୍ଚଳରୁ ଆସିଥିବା ମା’ ପୁଅ ସେଠାରେ ପହଞ୍ଚିବା ପୂର୍ବରୁ କିଛି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଯାଇଥିଲେ । ତିନି ତିନିଟି ଘଟଣାରେ କୌଣସି ବଡ ଅଘଟଣ ଘଟିବା ପୂର୍ବରୁ ପୁଲିସ୍‍ର ଆତ୍ମହତ୍ୟାକୁ ରୋକି ଦେଇଥିବାବେଳେ ଏହାର ପଛରେ ଥିବା ଲୋକଙ୍କୁ ଏବେ ଖୋଜା ଚାଲିଛି । ନ୍ୟାୟ ନପାଇ ରାଜଧାନୀରେ ଆସି ଗୁହାରି ଜଣାଇବା କିଛି ନୂଆ ନୁହେଁ । ହେଲେ ବିଧାନସଭା ଚାଲିଥିବାବେଳେ ଆତ୍ମାହୁତି ଦେବାପାଇଁ ରାଜଧାନୀରେ ଆସି ଗଣମାଧ୍ୟମର ଶିରୋନାମ ପାଲଟିବା ଏବେ ନୂଆ ଘଟଣା ହୋଇଛି । ଏଭଳି ଘଟଣାରେ ଗୁଇନ୍ଦା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‍ ମାରିଥିବା ଜଳ ଜଳ ହୋଇ ଦିଶୁଥିବାବେଳେ ଏଭଳି ଉଦ୍ୟମ ପଛରେ ଯେ ଆଉ କେହି ଯୋଗାଡିଆ ରହିଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପରଦା ପଛରେ ରହି ସ୍ୱାର୍ଥ ହାସଲ ପାଇଁ ଏଭଳି ଗୋଟି ଚାଳନା କରୁଥିବା ଲୋକଙ୍କ ମୁଖା ଖୋଲିବାପାଇଁ ବି ମତପ୍ରକାଶ ପାଉଛି ।