Odia News Portal

ପାଠକଙ୍କ ସୁରକ୍ଷା ପାଇଁ ପରୀ ପ୍ରସଙ୍ଗକୁ ଅସ୍ତ୍ର କରିଛି ବିଜେପି

ଭୁବନେଶ୍ୱର() ବିଧାନସଭାରେ ଲଗାତାର ହଙ୍ଗାମା ଜାରି ରଖିଥିବା ବିଜେପିର ଗୁମର ଧିରେ ଧିରେ ଫିଟିବାରେ ଲାଗିଛି । କୋଟି କୋଟି ଟଙ୍କା ଲୁଟ୍‍ରେ ବନ୍ଧା ହୋଇଥିବା ସରକାରୀ ବାବୁ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ସୁରକ୍ଷା ଦେବାଲାଗି ବିଜେପି ଜାଣିଶୁଣି ବିଧାନସଭାରେ ପରୀ ପ୍ରସଙ୍ଗୁ ଅସ୍ତ୍ର କରିଥିବା ଆଲୋଚନା ହେଉଛି ।

ଆଲୋଚନା ଅନୁଯାୟୀ ଆଜି ବିଜେଡିରୁ ତଡା ଖାଇଥିବା ଗୋପାଳପୁର ବିଧାୟକ ତଥା ଜେଲ୍‍ରେ ଥିବା ଅଭୟ ପାଠକଙ୍କ ଭାବି ସମୁଦି ପ୍ରଦୀପ ପାଣିଗ୍ରାହୀ ବିଜେପି ସହିତ ଯୋଗାଯୋଗ କରିବାପରେ ଏଭଳି ସ୍ଥିତି ଉପୁଜିଛି । ପାଠକଙ୍କୁ ସୁରକ୍ଷା ଦେବାପାଇଁ ଶ୍ରୀ ପାଣିଗ୍ରାହୀ କୁଆଡେ ନିକଟରେ ବିଜେପିର ବରିଷ୍ଠ ନେତାଙ୍କୁ ନୂଆଦିଲ୍ଲୀ ଠାରେ ଭେଟିଥିଲେ । ଏହି ସାକ୍ଷାତକାଳରେ ସେ ବିଜେପିରେ ମିଶିବା ସହିତ ଓଡିଶା ବିଶେଷକରି ଗଞ୍ଜାମ ଜିଲ୍ଲାରେ ବିଜେପି ଦୁର୍ଗକୁ ସୁଦୃଢ କରିବାରେ ପ୍ରତିଶ୍ରୁତି ଦେଇଥିଲେ । ଏହା ବଦଳରେ ପାଠକଙ୍କ ସୁରକ୍ଷା ପାଇଁ ମଧ୍ୟ ପ୍ରତିଶ୍ରୁତି ହାସଲ କରିଥିଲେ । ଏହାପରେ କେନ୍ଦ୍ରୀୟ ନେତାଙ୍କ ଇସାରାରେ ରାଜ୍ୟ ବିଜେପି ନେତାମାନେ ପାଠକ ପ୍ରସଙ୍ଗ ପାଠରେ ଡୋରି ବାନ୍ଧି ଦେଇଛନ୍ତି । ରାଜ୍ୟ ସରକାର ଅଦାଲତଙ୍କ ତତ୍ୱାବଧାନରେ ଏସ୍‍ଆଇଟି ତଦନ୍ତ ଆରମ୍ଭ କରିଥିବାବେଳେ ବିଜେପି ସଦସ୍ୟମାନେ ପରୀ ମୃତୁ୍ୟ ଘଟଣାରେ ସିବିଆଇ ତଦନ୍ତ ଓ ମବୀଙ୍କ ଇସ୍ତଫା ଦାବିରେ ବିଧାନସଭା ଚଳାଇ ଦେଉନାହାନ୍ତି ।

ଲଗାତାର ତିନିଦିନ ଧରି ବିଜେପି ବିଧାୟକଙ୍କ ହଙ୍ଗାମା ଓ ଆଜି ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା ହେବାପରେ ପରଦା ପଛର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । କୌଣସି ପ୍ରକାରୋ ପାଠକ ପ୍ରସଙ୍ଗକୁ ଚାପି ଦେବାପାଇଁ ବିଜେପି ନେତାମାନେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ପାଠକ ପ୍ରସଙ୍ଗ ଯେଭଳି ବିଧାନସଭା ନଉଠିବ ଓ ପରୀ ପ୍ରସଙ୍ଗକୁ ସଦସ୍ୟମାନେ ନଛାଡିବେ ସେଥିପାଇଁ ଉପର ନିଦେ୍ର୍ଧଶ ଆସିଥିବା ଘେନି ଆଲୋଚନା ହେଉଛି । ବିଜେପି ନେତାଙ୍କ ଏଭଳି କାର୍ଯ୍ୟକୁ ଖୋଦ୍‍ କଂଗ୍ରେସ ବିଧାନସଭା ଭିତରେ କଡା ବିରୋଧ କରୁଥିବାବେଳେ ବିଧାନସଭା ବାହାରେ ବି ସାଧାରଣ ଲୋକେ ସନେ୍ଦହ ଚକ୍ଷୁରେ ଦେଖିବା ସହିତ ଆଲୋଚନା ଆରମ୍ଭ କରିଦେଇଛନ୍ତି ।

ଉଲ୍ଲେଖନୀୟ ଯେ ବିଜେଡିରୁ ବିତାଡିତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ସହିତ ଖୁବ୍‍ଶୀଘ୍ର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କର ବିବାହ ରାଜସ୍ଥାନର ଯୋଧପୁର ଠାରେ ହେବାକୁ ଯାଉଥିଲା । ଏଥିପାଇଁ ଯୋଧପୁରରେ ପ୍ୟାଲେସ ଭଡାରେ ନିଆଯିବା ସହିତ ସମସ୍ତ ପ୍ରସ୍ତୁତି ସରିଥିଲା । ହେଲେ ଶେଷ ମୂହୂର୍ତ୍ତରେ କୋଟି କୋଟି ଟଙ୍କା ଲୁଟ୍‍ର ଗୁମର ଖୋଲିବାପରେ ଏବେ ଏଥିରେ ଏକ ପ୍ରକାର ପାଣି ପଶିଯାଇଛି ।