- ୧୨୫ କନିଷ୍ଠ ଓଏଏସ ପଦବୀ ସୃଷ୍ଟି ହେବ
- ବିଚାର ବିଭାଗୀୟ ଅଧିକାରୀଙ୍କ ବେତନ ବଢ଼ିବ
- କେବଳ ଲିଖିତ ପରୀକ୍ଷା ଦ୍ଵାରା ନିଯୁକ୍ତ ହେବେ ଡାକ୍ତର
- ସଂଶୋଧିତ ହେଲା ପାଣି ପଞ୍ଚାୟତ ଅଧିନିୟମ
- ଟାଟା ଜମି ଫେରି ପାଇବେ ରୟତ
- ପ୍ରାଣୀ ଚିକିତ୍ସକଙ୍କ ନିଯୁକ୍ତି ସର୍ତ୍ତ ସଂଶୋଧିତ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରାଜ୍ୟରେ ସରକାରଙ୍କୁ ଅଧିକ ଗତିଶୀଳ ଏବଂ ସ୍ଵଚ୍ଛ କରିବା ସହ ଜଳସେଚ କାର୍ଯ୍ୟକ୍ରମକୁ ତ୍ଵରାନ୍ଵିତ କରିବା ଉପରେ ବୈଠକରେ ଗୁରୁତ୍ଵ ଦିଆଯାଇଛି। ବୈଠକ ପରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ମୋ-ସରକାର ଏବଂ ୫-ଟିର ଗୁରୁତ୍ଵକୁ ଉପଲବ୍ଧି କରି ଅଧିକ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ନିଯୁକ୍ତି କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏଥିଲାଗି ୧୨୫ଟି ପଦବୀ ସୃଷ୍ଟି କରିବେ ରାଜ୍ୟ ସରକାର। ପୂର୍ବରୁ ୧,୧୮୮ଟି ପଦବୀ ରହିଥିବାବେଳେ ଏହି ପଦବୀ ସୃଷ୍ଟି ହେବାପରେ ଓଏଏସ କନିଷ୍ଠ ଶାଖାର ସଂଖ୍ୟା ୧,୩୧୩କୁ ବୃଦ୍ଧି ହେବ।
ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟରେ ୨ ଜଣ ଲେଖାଏଁ ଡେପୁଟି କଲେକ୍ଟର ପଦବୀ ସୃଷ୍ଟି ହୋଇଥିବାବେଳେ ୫୮ଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୋଟିଏ ଲେଖାଏଁ ଡେପୁଟି କଲେକ୍ଟର, ରାଜସ୍ଵ ପର୍ଷଦ କାର୍ଯ୍ୟାଳୟରେ ୪ଟି ଅନୁସଚିବ ଏବଂ ଭୁବନେଶ୍ଵର, ପାରାଦୀପ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ଲେଖାଏଁ ଡେପୁଟି କଲେକ୍ଟର ନିଯୁକ୍ତ ହେବେ। ଏହା ଦ୍ଵାରା ପ୍ରଶାସନ ଅଧିକ ସୁଦୃଢ଼ ଓ ଗତିଶୀଳ ହେବ ବୋଲି ସୁରେଶ ଚନ୍ଦ୍ର ମହାପାତ୍ର କରିଛନ୍ତି।
ଏହା ସହିତ ଜଷ୍ଟସ୍ ପି. ଭେଙ୍କଟରାମା ରେଡ୍ଡୀଙ୍କ ସୁପାରିଶ ଆଧାରରେ ରାଜ୍ୟର ନ୍ୟାୟିକ ଅଧିକାରୀମାନଙ୍କ ବେତନ ହାର ସଂଶୋଧନ କରାଯାଇଛି। ବିଚାର ବିଭାଗୀୟ ଅଧିକାରୀଙ୍କ ଦରମା ସଂଶୋଧନ ସହ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଏଥିଲାଗି ରାଜ୍ୟ ସରକାରଙ୍କୁ ଅତିରିକ୍ତ ୯୩ କୋଟି ଟଙ୍କା ଖର୍ଚ୍ଚ କରିବେ।
ସେହିପରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆଗତ ଓଡ଼ିଶା ପ୍ରାଣୀ ଚିକିତ୍ସା (ନିଯୁକ୍ତି ଏବଂ ସେବା) ସର୍ତ୍ତାବଳୀ ସଂଶୋଧିତ ନିୟମାବଳୀ-୨୦୨୨କୁ ଅନୁମୋଦନ ମିଳିଛି। ଏହି ସଂଶୋଧନ ଦ୍ଵଶରା ପ୍ରାଣୀ ଚିକିତ୍ସକମାନଙ୍କର ନିଯୁକ୍ତି, ମେଡିକାଲ ଅଫିସର, ହୋମିଓପାଥିକ ମେଡିକାଲ ଅଫିସର ଏବଂ ଆୟୁର୍ବେଦିକ ମେଡିକାଲ ଅଫିସରମାନଙ୍କ ନିଯୁକ୍ତି ପ୍ରକ୍ରିୟା ପରି କେବଳ ଲିଖିତ ପରୀକ୍ଷା ଭିତ୍ତିରେ ହେବ। ଏହା ସହିତ ରାଜସ୍ଵ ବିଭାଗ ପକ୍ଷରୁ ଆସିଥିବା ଏକ ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟର ମୋହର ବାଜିଛି। ଗଞ୍ଜାମ ଜିଲ୍ଲାର କାଳିପଲ୍ଲୀ ମୌଜାରେ ଟାଟାଷ୍ଟିଲ ଲିମିଟେଡ, ଗୋପାଳପୁର ଦ୍ଵାରା ପ୍ରସ୍ତାବିତ ବୃହତ ଇସ୍ପାତ ପ୍ରକଳ୍ପ ପାଇଁ ଇଡକୋ ପକ୍ଷରୁ ଜମି ଅଧିକୃତ ହୋଇଥିଲା। କିନ୍ତୁ ଦୁଇ ଦଶନ୍ଧି ଧରି ଏହା ବ୍ୟବହୃତ ହୋଇନଥିଲା। ଏବେ ଏହି ଜମିକୁ ମୁଳ ରୟତ କିମ୍ବା ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।