Odia News Portal

ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ଆର ପାରିରେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ନିମୋନିଆରେ ପୀଡିତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଥିବା ତାଙ୍କ ପୁଅ କୌଶିକ ମହାପାତ୍ର ସୂଚନା ଦେଇଛନ୍ତି ।ତେବେ ତାଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲରୁ ଭୁବନେଶ୍ୱର ପଳାସପଲ୍ଲୀସ୍ଥିତ ବାସଭବନକୁ ନିଆଯାଇଛି । ସେଠାରେ ବନ୍ଧୁ ପରିଜନ ଓ ଶୁଭେଚ୍ଛୁମାନେ ଶାନ୍ତନୁଙ୍କ ମର ଶରୀରକୁ ଶେଷ ଦର୍ଶନ କରୁଛନ୍ତି। ଏହାପରେ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ | ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

୧୯୩୬ ମସିହାରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଶାନ୍ତନୁ । ଆଇଆଇଟି ଖଡ଼ଗପୁରରୁ ଆପ୍ଲାଏଡ୍ ଜିଓଲଜି ଆଣ୍ଡ ଜିଓଫିଜିକ୍ସରେ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ରାଜ୍ୟ ସରକାରଙ୍କ ମାଇନିଂ ଏବଂ ଜିଓଲଜି ବିଭାଗରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ସଂଗୀତ ଗୁରୁ ବାଂଛାନିଧି ପଣ୍ଡାଙ୍କ ନିକଟରୁ ସଂଗୀତ ଶିକ୍ଷା କରିଥିଲେ ଶାନ୍ତନୁ । ଜଣେ ଗାୟକ ଏବଂ ସଂଗୀତ ନିର୍ଦ୍ଦେଶକ ଭାବେ ତାଙ୍କର ରହିଥିଲା ପ୍ରତିଭା । ଓଡ଼ିଆ , ହିନ୍ଦୀ, ବଙ୍ଗଳା, ଆସାମୀ, ତେଲୁଗୁ ଭାଷାରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ମହାପାତ୍ର ।

ଚିଲିକା ତୀରେ, ପ୍ରିୟତମା, ଅଗ୍ନି ପରୀକ୍ଷା, ମେଘମୁକ୍ତି, ଶୀତ ରାତି, ଜୀବନ ସଂଗ୍ରାମ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଛି । ବଙ୍ଗଳାରେ ମହାପୃଥିବୀ ଏବଂ ହିନ୍ଦୀ ଫିଲ୍ମ ‘ଶୋଧ’ ଲାଗି ସେ ଜାତୀୟ ପୁରସ୍କାର ପାଇଛନ୍ତି । ବିଭିନ୍ନ ଭାଷାରେ ସଂଗୀତ ଦେବାରେ ଶାନ୍ତନୁ ହେଉଛନ୍ତି ପ୍ରଥମ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ।

ତେବେ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ‘‘ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ସ୍ୱତନ୍ତ୍ର ସଙ୍ଗୀତ ସଂଯୋଜନା ଶୈଳୀ ମାଧ୍ୟମରେ ଚିଲିକା ତୀରେ,ଅଗ୍ନିପରୀକ୍ଷା ଓ ମେଘମୁକ୍ତି ଆଦି ଚଳଚ୍ଚିତ୍ରରେ ସେ ଛାଡି ଯାଇଥିବା ଛାପ ସର୍ବଦା ସ୍ମରଣୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି’’। ସେହିଭଳି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶାନ୍ତନୁଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିବା ସହ ସେ ସଂଗୀତ ଦୁନିଆର ଏକ ମାଇଲ ଖୁଣ୍ଟ ଥିଲେ । ଯାହାଙ୍କ ମୃତ୍ୟୁ ଆମ ପାଇଁ ଅପୂରଣୀୟ କ୍ଷତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଦୁଃଖଦ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ।

ସୂର୍ଯ୍ୟମୁଖୀ, ଅରୁନ୍ଧତି, ଚିଲିକାତୀରେ, ଡୋରା ଭଳି ସୁପର ହିଟ ଓଡ଼ିଆ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ପାଖାପାଖି ୧୯୦୦ ଗୀତର ସଂଯୋଜନା କରିଛନ୍ତି ଶାନ୍ତନୁ । ସେଥିରେ ୫୩ଟି ଫିଚର୍‌ ଓ ଟେଲି ଫିଲ୍ମ, ୧୦ ଯାତ୍ରା, ୬୦ ଆକାଶବାଣୀ ନାଟକ, ୧୦ ନୃତ୍ୟନାଟିକା ରହିଛି। ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଗୀତ ମଧ୍ୟରେ ‘ସେଇ ଚୁନା ଚୁନା’, ‘ମୟୂରୀ ଗୋ’, ‘ମୁଁ ତ ଥିଲି ଏକୁଟିଆ’, ‘ଏଇ ଜୀବନଟା ଏକ ନାଟକ’, ‘ଆଗୋ ଚନ୍ଦ୍ରିକା’ ଓ ‘ନୂପୂର ବଜାଏ କିଏ’ ଆଦି ଅନ୍ୟତମ ।