ଶିକ୍ଷା ପାଇଁ ବୟସ ନୁହେଁ, କେବଳ ଦୃଢ ଇଚ୍ଛାଶକ୍ତିର ଆବଶ୍ୟକତା ହୋଇଥାଏ । ଦୃଢ ଇଚ୍ଛାଶକ୍ତି ପାଖରେ ଥିଲେ ମଣିଷ କଣ ନ କରି ପାରେ ଏହି ଉକ୍ତିଟିର ସଠିକ ଓ ଯୁକ୍ତିଯୁକ୍ତ ପ୍ରମାଣ ସହ ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ଜୟକିଶୋର ପ୍ରଧାନ । ୬୪ ବର୍ଷ ବୟସ୍କ ଜୟକିଶୋର ଏବେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର । ୬୪ ବର୍ଷ ବୟସରେ ନିଟ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ସେ ବୁର୍ଲା ଭିମସାରରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି । ଏପରି ପରିଣତ ବୟସରେ ଜଣେ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇବା ଘଟଣା ଏକ ପ୍ରକାରର ଚର୍ଚ୍ଚାର ବିଷୟ ପାଲଟିଛି । ଡାକ୍ତରୀ ଶିକ୍ଷା ଇତିହାସରେ ଏହା ଏକ ବିରଳ ଘଟଣା ବୋଲି ଭିମସାରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
କ୍ୟାରିୟର ଆରମ୍ଭରୁ ଥିବା ଇଚ୍ଛା ଏବେ ପୂରଣ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଜୟକିଶୋର । କିଭଳି ପାଠ ପଢ଼ି ଜଣେ ଭଲ ଡାକ୍ତର ହୋଇ ବାହାରିବେ ଓ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିପାରିବେ, ଏବେ ତାହା ହିଁ ତାଙ୍କର ଏକ ମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଜୟକିଶୋର କହିଛନ୍ତି, ୧୯୭୪ ମସିହାରେ ପ୍ରି-ୟୁନିଭରସିଟି ପରୀକ୍ଷା ପାସ୍ କଲି। ସେତେବଳେ ଷ୍ଟେଟ ମେଡିକାଲ ଏଣ୍ଟ୍ରାନ୍ସ ଦେଇ ବିଫଳ ହୋଇଥିଲି। ଏହାପରେ ବିଏସସି ପଢ଼ି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଚାକିରୀ କଲି।
ଅତାବିରାର ବାସିନ୍ଦା ଜୟକିଶୋର ସେପ୍ଟେମ୍ବରରେ ନିଟ୍ ପରୀକ୍ଷା ଦେଇଥିଲେ । ଏଥିରେ ସେ ଭଲ ରାଙ୍କରେ ଉତୀର୍ଣ୍ଣ ହୋଇଥିଲେ । ତେବେ ଦିବ୍ୟାଙ୍ଗ ପାଇଁ ସଂରକ୍ଷିତ ସିଟରେ ଜୟକିଶୋର ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ବୁଧବାର ତାଙ୍କ ନାମଲେଖା ହୋଇଥିବା ବେଳେ ଗୁରୁବାର ମେଡିକାଲ ଟେଷ୍ଟ ମଧ୍ୟ ଶେଷ ହୋଇଛି ।