Odia News Portal

ପିପିଲି-ଡେଲାଙ୍ଗର ବିକାଶ ମଙ୍ଗ ଧରିଲେ ନବୀନ

*ମହାରଥିଙ୍କ ପିପିଲି ବିକାଶ ସ୍ୱପ୍ନକୁ ଆଗେଇ ନେବେ ନବୀନ |
*କୋଭିଡ ସ୍ଥିତି ହଟିବା ପରେ ମୁଁ ନିଶ୍ଚିତ ପିପିଲି ଯାଇ ଆପଣମାନଙ୍କୁ ଭେଟିବି |

ପିପିଲି: ପିପିଲି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ପ୍ରଚାର ଜୋର ଧରୁଛି । ପିପିଲିରେ ଆଜି ହାଇ ପ୍ରୋଫାଇଲ ପ୍ରଚାର ଦେଖିବାକୁ ମିଳୁଛି । ପିପିଲିରେ ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ପ୍ରଚାର କଲେ ନବୀନ । ଭର୍ଚୁଆଲ ମାଧ୍ୟମରେ ଆଜି ପିପିଲି ପ୍ରଚାର ମୈଦାନରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ। ଆଉ ଏହାସହ ରୁଦ୍ରଙ୍କ ପାଇଁ ଭୋଟ ମାଗିଛନ୍ତି । ୬ଟି ଜିଲ୍ଲା ପରିଷଦ ଜୋନବାସୀଙ୍କୁ ସମ୍ବୋଧନ କରି ସୁପ୍ରିମୋ କହିଛନ୍ତି ଏହି ପବିତ୍ର ଐତିହ୍ୟ ସମ୍ପୂର୍ଣ୍ଣ ମାଟିକୁ ମୋର ପ୍ରଣାମ । ପିପିଲିର ସମସ୍ତ ଭାଇ-ଭଉଣୀଙ୍କୁ ନମସ୍କାର ଜଣାଇବା ସହ ପିପିଲି ଚାନ୍ଦୁଆକୁ ନେଇ ଗର୍ବିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ମୋ ପ୍ରତି ଆପଣମାନଙ୍କ ଭଲ ପାଇବା ରହିଛି, ମୁଁ ପିପିଲି ଯିବାକୁ ଆଗ୍ରହୀ କିନ୍ତୁ କୋଭିଡର କଟକଣା ବାଧକ ସାଜିଛି । ଯେଉଁଥିପାଇଁ ମୁଁ ଆଜି ଭର୍ଚୁଆଲ ଯୋଗେ ଆପଣମାନଙ୍କୁ ଭେଟୁଛି । ପିପିଲି-ଡେଲାଙ୍ଗ ବାସୀ ସବୁବେଳେ ବିଜେଡି ସହ ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ ବୋଲି କହିଛନ୍ତି ନବୀନ । ପିପିଲି-ଡେଲାଙ୍ଗରେ ଭଲ କାମ ହୋଇଛି, ଆଗକୁ ମଧ୍ୟ ଭଲ କାମ ହେବ । ପିପିଲି-ଡେଲାଙ୍ଗର ବିକାଶ କାମ ମୁଁ ନିଜ ବୁଝିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାନ୍ଦୁଆ ସହର ପିପିଲି ଦେଶ ଓ ବିଦେଶରେ ଓଡ଼ିଶା ପାଇଁ ସୁନାମ ଆଣିଛି । କଳାର ଏହି ପିପିଲି ମାଟି ଧନ୍ୟ ଓ ଏହାର ଇତିହାସ ମଧ୍ୟ ମହାନ । ପିପିଲି-ଡେଲାଙ୍ଗବାସୀଙ୍କର ମୋ ପ୍ରତି ଭଲପାଇବା ରହିଛି । ଯଦି ପିପିଲି ଯାଇଥାନ୍ତି ତେବେ ବହୁ ସଂଖ୍ୟାରେ ଆପଣ ମାନେ ଏକାଠି ହୋଇ ମୋତେ ଆର୍ଶୀବାଦ କରିଥାନ୍ତେ । ପିପିଲି-ଡେଲାଙ୍ଗରେ ଅନେକ ବିକାଶ ହୋଇଛି, ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ । ଏଥିପାଇଁ ସ୍ବର୍ଗତ ମହାରଥିଙ୍କ ଅବଦାନ ଅତୁଳନୀୟ । ପୁନର୍ବାର ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ରୁଦ୍ର ମହାରଥିଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ ସ୍ଥିତି ହଟିବା ପରେ ମୁଁ ନିଶ୍ଚିତ ପିପିଲି ଯାଇ ଆପଣମାନଙ୍କୁ ଭେଟିବି ।