Odia News Portal

+୩ ପ୍ରଥମ ବର୍ଷ ପାଠପଢା ଆରମ୍ଭ

 ଆଜିଠୁ +୩ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହୋଇଛି । କୋରୋନା କୋପ କମିଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନରେ ଫିଜିକାଲ ମୋଡରେ ଶ୍ରେଣୀ ପାଠପଢ଼ା ହୋଇଛି । ପାଠପଢା ସହ ଯେଉଁ ଛାତ୍ରଛାତ୍ରୀ ହଷ୍ଟେଲ ରହିବା ପାଇଁ ନାମ ଲେଖାଇଛନ୍ତି ସେମାନଙ୍କ ପାଇଁ ହଷ୍ଟେଲରେ ସବୁ ପ୍ରକାର ସୁବିଧା ରଖିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ପ୍ରଥମ ବର୍ଷ ୟୁଜି ଆଡମିଶନ ଫି’ ସଂଗ୍ରହ କରିବାର ସମୟସୀମା ଓ ପିଜି ପାଇଁ ମଧ୍ୟ ଆଡମିଶନ ଫି’ ଦିଆଯାଇଥିବା ସମୟସୀମା ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଯେଉଁ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ଆଡମିଶନ ପ୍ରକ୍ରିୟାରେ ଆଡମିଶନ ହୋଇଥିଲେ ଏବଂ ପୁନର୍ବାର ଆବେଦନ କରିବାକୁ ଇଚ୍ଛୁକ ନୁହଁନ୍ତି, ସେମାନଙ୍କ ଆଡମିଶନ ଫି’ ଆସନ୍ତା ୧୪ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ମଧ୍ୟମରେ ଆଡ୍‌ମିଶନ ଫି’ ଜମା କରିବାକୁ ପଡ଼ିବ ।

ସେହିଭଳି ଯେଉଁ ଛାତ୍ରଛାତ୍ରୀ ଦ୍ୱିତୀୟ ପର୍ଯ୍ୟାୟ ମାଧ୍ୟମରେ ଆଡମିଶନ ପ୍ରକ୍ରିୟାରେ ଆଡମିଶନ କରିଛନ୍ତି ସେମାନେ ଆଡମିଶନ ଫି’ ନଭେମ୍ବର ୧ ତାରିଖରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ କେବଳ ଅନଲାଇନ୍ ମୋଡ୍‌ରେ ଜମା କରିପାରିବେ ବୋଲି ନିର୍ଦ୍ଦେଶ ରହିଛି । ତେବେ ଉଭୟ ୟୁଜି ଏବଂ ପିଜି ନାମଲେଖା ଶେଷ ହୋଇନାହିଁ । ୟୁଜିର ଯଦିଓ ନାମଲେଖା ଶେଷ ହୋଇଛି, କିନ୍ତୁ ସିଟ୍ ବଳକା ପଡ଼ିଥିବାରୁ ପୁଣିଥରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ପାଖରେ ସୁଯୋଗ ରହିଛି । ଏନେଇ ପୁଣି ଆବେଦନ ପ୍ରକ୍ରିୟା ଆସନ୍ତା ୧୯ ତାରିଖ ଯାଏ ଚାଲିବ ।

୨୭ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ୨୮ ତାରିଖରୁ ୩୧ ତାରିଖ ଯାଏ ନାମଲେଖା ହେବ । ସେହିଭଳି ପିଜି ପାଠ୍ୟକ୍ରମରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଶେଷ ହୋଇଥିବା ବେଳେ ସ୍ପଟ ନାମଲେଖା ବାକି ରହିଛି । ଆସନ୍ତା ମାସ ୧୦ ତାରିଖରେ ସ୍ପଟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ୧୮ତାରିଖରେ ସ୍ପଟ ନାମଲେଖା ପାଇଁ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ । ଏହାପରେ ୧୯ ଓ ୨୦ ତାରିଖ ସ୍ପଟ ନାମଲେଖା ଅନୁଷ୍ଠିତ ହେବ । ତେବେ ନାମଲେଖା ଶେଷ ହୋଇ ନଥିଲେ ସୁଦ୍ଧା ପାଠପଢ଼ା ବହୁ ବିଳମ୍ବ ହୋଇଯାଇଥିବାରୁ ରାଜ୍ୟ ସରକାର କ୍ଲାସ୍ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।