Odia News Portal

ରାଷ୍ଟ୍ରପତି ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ୧୧ ଜଣ ପ୍ରାର୍ଥୀ

ରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ ବିଗୁଲ ବାଜି ସାରିବା ପରେ ଏବେ ନାମାଙ୍କନ ଦାଖଲ ପକ୍ରିୟା ଆରମ୍ଭ ହୋଇଛି | ତେବେ ନାମାଙ୍କନ ଦାଖଲ କରିବାର ପ୍ରଥମ ଦିନରେ ୧୧ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହେଲେ ଜଣେ ପ୍ରାର୍ଥୀଙ୍କ ପତ୍ର ଖାରଜ ହୋଇ ଯାଇଛି। ନାମାଙ୍କନ ଦାଖଲକାରୀଙ୍କ ମଧ୍ୟରେ ଲାଲୁ ପ୍ରସାଦ ଯାଦବଙ୍କ ନାମ ମଧ୍ୟ ସାମିଲ୍। ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ଅଧିସୂଚନା ଜାରି କରାଯାଇଛି। ଏଥିସହ ଦେଶରେ ରାଷ୍ଟ୍ରପତି ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଜୁନ ୨୯ ଯାଏଁ ରହିଛି।

ସୂତ୍ର ମୁତାବକ ବିହାରର ସାରଣରୁ ଲାଲୁ ପ୍ରସାଦ ଯାଦବଙ୍କ ନାମରେ ଜଣେ ବ୍ୟକ୍ତି ନାମାଙ୍କନ ଦାଖଲ କରିଛନ୍ତି। ବୁଧବାର ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ଦିଲ୍ଲୀ, ମହାରାଷ୍ଟ୍ର, ବିହାର, ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶର। ଦେଶର ନୂତନ ରାଷ୍ଟ୍ରପତି ପାଇଁ ନିର୍ବାଚନ ଜୁଲାଇ ୧୮ରେ ହେବ। ଏଥିରେ ୪୮୦୯ ଜଣ ମତଦାନ କରିବେ। ଆବଶ୍ୟକ ପଡିଲେ ଜୁଲାଇ ୨୧ରେ ଭୋଟ୍ ଗଣତି କରାଯିବ। ଜୁନ ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ଜୁନ ୨୯ ହେଉଛି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ। ଜୁନ ୩୦ରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ ଏବ ଜୁଲାଇ ୨ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇ ପାରିବ।

ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ସରିବାକୁ ଯାଉଛି। ନୂତନ ରାଷ୍ଟ୍ରପତି ଜୁଲାଇ ୨୫ରେ ଶପଥ ନେବେ। ଏମିତିରେ ନୂତନ ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୨୪ ସୁଦ୍ଧା ସାରିବାକୁ ପଡିବ। କାହାକୁ କରିବେ ପ୍ରାର୍ଥୀ ତାକୁ ନେଇ ଶାସକ ବିଜେପି ଏବଂ ଅନ୍ୟ ବିରୋଧୀଦଳ ବିଚାର ବିମର୍ଶ ଚଳାଇଛନ୍ତି।