ଆଜି ପୂବାହ୍ନରେ ସୋର ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଥିବା ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ସୁଦାମ ନାମକ ଏହି ବ୍ୟକ୍ତି ଏକ ଦୁଷ୍କର୍ମ ମାମଲାରେ ବିଚାରାଧୀନ କଏଦୀ ଭାବେ ଜେଲ୍ରେ ଥିଲେ । ଆଜି ସେ ଜେଲ୍ ପରିସର ସ୍ୱଚ୍ଛତା କାର୍ଯ୍ୟରେ ଅନ୍ୟ କଏଦୀଙ୍କ ସହ ନିୟୋଜିତ ଥିବାବେଳେ ଜେଲ କର୍ତ୍ତୃପକ୍ଷଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ପାଚେରି ଡେଇଁ ବିଲ ଭିତରେ ଦୌଡ଼ି ପଳାଇଥିଲେ । ଫେରାର ହୋଇଯିବା ଜାଣିବା ପରେ ଜେଲ୍ କର୍ମଚାରୀ ଜେଲ ନିକଟ ଗାଁ ସହ ନିଛାଟିଆ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲେ ବି ସୁଦାମକୁ ଧରିବା ସମ୍ଭବ ହୋଇପାରିନି ।
ପ୍ରକାଶ ଥାଉକି ବିବାଦ ଏହି ଜେଲ୍ର ପିଛାଛାଡୁନି । ପୂର୍ବରୁ ଏହି ଜେଲ ପରିସରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହେବା ସହ ଅନ୍ୟଜଣେ ମାରପିଟ୍ରେ ଆହତ ହେବା ଓ ଜେଲରେ ନିମ୍ନମାନର ଖାଦ୍ୟ ପରିବେଷଣ କରାଯାଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଏବେ କଏଦୀ ଫେରାର ହେବା ସମ୍ପର୍କରେ ସବ୍ଜେଲ ଉପନିରୀକ୍ଷକ ପ୍ରିୟମ୍ବଦା ପଣ୍ଡାଙ୍କୁ ଯୋଗାଯୋଗ କରିଥିଲେ ବି ସେ ଫୋନ୍ ଉଠାଇନଥିଲେ ।