Odia News Portal

ଜାଣନ୍ତୁ କେଉଁ ମନ୍ତ୍ରୀଙ୍କର କେତେ ସମ୍ପତ୍ତି ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଏବେ ସବୁ ମନ୍ତ୍ରୀ ଦେଇଛନ୍ତି ନିଜ ନିଜର ସମ୍ପତ୍ତି ତାଲିକା |ତେବେ ଗତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ତଥା ରାଇଜର ମୁଖିୟା ନବୀନ ପଟ୍ଟନାୟକ । ସିଏମଓ ୱେବ୍‌ସାଇଟ୍‌ରେ ତାଙ୍କ ସମ୍ପତ୍ତିର ତାଲିକା ଦିଆଯାଇଛି। ଦେଶର ୭ଟି ବ୍ୟାଙ୍କରେ ନବୀନଙ୍କର ଅଛି ପ୍ରାୟ ୧୩ କୋଟି ୧ଲକ୍ଷ ୬ହଜାର ୧୧ ଟଙ୍କା । ତଥ୍ୟ ଅନୁସାରେ, ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ଦିଲ୍ଲୀର ଜନପଥ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟରେ ଅଛି ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ୬୩ ପଇସା । ଏହି ବ୍ୟାଙ୍କର ଟର୍ମ ଡିପୋଜିଟ ଅଛି ଏକ କୋଟି ୩ ଲକ୍ଷ ୧୩ ହଜାର ୪୯୯ ଟଙ୍କା । ଦିଲ୍ଲୀର ପାର୍ଲାମେଣ୍ଟ ହାଉସ ଏସବିଆଇ ଶାଖାରେ ଅଛି ଏକ ହଜାର ୮ଶହ ୧୮ ଟଙ୍କା । ଭୁବନେଶ୍ୱର ଏସବିଆଇ ଶାଖାରେ ଜମା ଅଛି ୧୦ ଲକ୍ଷ ୫୬ ହଜାର ୮ଶହ ୮୮ ଟଙ୍କା । ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିର ଷ୍ଟେଟବ୍ୟାଙ୍କ ଶାଖାରେ ଅଛି ୬ ହଜାର ୭୪୬ ଟଙ୍କା । ନିର୍ବାଚନ ଉଦ୍ଦେଶ୍ୟରେ ଏହାକୁ ୨୦୧୪ ମସିହାରେ ଖୋଲାଯାଇଥିଲା । ଏହି ଶାଖାରେ ହିଁ ଆଉ ଏକ ଆକାଉଣ୍ଟରେ ୧୩ ହଜାର ୮୧୮ ଟଙ୍କା ଅଛି । ଏହା ୨୦୧୯ ନିର୍ବାଚନ ପାଇଁ ଖୋଲାଯାଇଥିଲା । ସେହିଭଳି ବରଗଡ ଏସବିଆଇ ଶାଖାରେ ୩୭ ହଜାର ଟଙ୍କା ଅଛି । ସେହିପରି ନବୀନଙ୍କ ପାଖରେ ରହିଛି ପ୍ରାୟ ୨ଲକ୍ଷ ୮୯ହଜାର ୫୮୭ ଟଙ୍କାର ସୁନାଗହଣା। ଏବେବି ସେ ରଖିଛନ୍ତି ୧୯୮୦ ମଡେଲର ଏକ ଆମ୍ବାସାଡର କାର। ଏହାର ଆନୁମାନିକ ମୂଲ୍ୟ ୮ହଜାର ୯୦୫ ଟଙ୍କା ହେବ।

ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ନିଜ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି । ତାଲିକା ଅନୁଯାୟୀ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ନିକଟରେ ଅଛି ୮୯ ଲକ୍ଷ ୯୩ ହଜାର ୪୩୯ ଟଙ୍କା, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିକଟରେ ଅଛି ପ୍ରାୟ ୧୦ କୋଟି ୩୫ ଲକ୍ଷ ୨୯ ହଜାର ୯୧୧ ଟଙ୍କା, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତୀ ଅଶୋକ ପଣ୍ଡାଙ୍କ ନିକଟରେ ଅଛି ୮ କୋଟି ୩୪ ଲକ୍ଷ ୪୮ ହଜାର ୯୯୪ ଟଙ୍କା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନିକଟରେ ଅଛି ପ୍ରାୟ ୩୨ ଲକ୍ଷ ୩୩ ହଜାର ୪୭୧ ଟଙ୍କା, ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନିକଟରେ ଅଛି ୪ କୋଟି ୭୮ ଲକ୍ଷ ୪୭ ହଜାର ୪୭୧ଟଙ୍କା, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ନିକଟରେ ଅଛି ୪ କୋଟି ୯୩ ଲକ୍ଷ ୯୪ ହଜାର ୬୪୪ ଟଙ୍କା, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନିକଟରେ ଅଛି ୪ କୋଟି ୩୪ ଲକ୍ଷ ୬୫ ହଜାର ୩୦୮ଟଙ୍କା, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିକଟରେ ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କା ଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିକଟରେ ୭ କୋଟି ୩୧ ଲକ୍ଷ ୭୬ ହଜାର ୪୦୮ ଟଙ୍କା ଅଛି |