Odia News Portal

ଜଟଣୀରେ ଟ୍ରକ ମାଲିକ ମହାସଂଘ ପକ୍ଷରୁ ବିରୋଧ ପ୍ରଦର୍ଶନ

ଜଟଣୀ : ଜଟଣୀସ୍ଥିତ ଭାରତୀୟ ଖାଦ୍ୟ ନିଗମରୁ ବାହାର ଜିଲ୍ଲାର ଟ୍ରକ ଲଗାଇ ମାଲ ପରିବହନକୁ ବିରୋଧ କରିଛି ସ୍ଥାନୀୟ ମା ଜଟିଆଣି ଟ୍ରକ ମାଲିକ ମହାସଂଘ |ମହାସଂଘର ୨୦୦ ଗାଡି ମାଲିକ ଖାଦ୍ୟ ନିଗମ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି |ବର୍ଷ ବର୍ଷ ଧରି ଟ୍ରକ ମାଲିକ ମହାସଂଘ ମାଲ ପରିବହନ କରି ଆସୁଥିଲେ ସୁଦ୍ଧା ଏପରି ମନଇଚ୍ଛା ବାହାର ଗାଡିରେ ଲୋଡ଼ିଂ କରିବାକୁ ନେଇ ଜଟଣୀରେ ଚାପା ଉତ୍ତେଜନା ଲାଗି ରହିଛି |

ସୂଚନା ଅନୁଯାୟୀ,ଜଟଣୀ ସ୍ଥିତ ଭାରତୀୟ ଖାଦ୍ୟ ନିଗମରୁ ଖୋର୍ଦ୍ଧା,ପୁରୀ ଏବଂ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗହମ,ଚିନି,ଚାଉଳ ଏବଂ କୃଷି କ୍ଷେତ୍ରରେ ଲାଗୁଥିବା ସାର ଇତ୍ୟାଦି ପରିବହନ କରିବାରେ ଜଟଣୀର ଟ୍ରକ ମାଲିକ ମହାସଂଘ ଏକ ଗୁରୁ ଦାୟିତ୍ଵ ନିର୍ବାହ କରୁଛନ୍ତି |ତେବେ ଏହି ମାଲ ପରିବହନ ଦାୟିତ୍ଵ ଜଣେ ଠିକାଦାର ନେଇଛନ୍ତି |ସେ ଟ୍ରକ ମାଲିକ ମହାସଂଘରୁ ଗାଡି ନେଇ ନିଜର ମୋଟା ଅଙ୍କର କମିଶନ ରଖି ଗାଡି ମାଲିକ ମାନଙ୍କୁ ଭଡା ଦେଇଥାନ୍ତି |ଲକ ଡାଉନ ହେଉ କି ସଟ ଡାଉନ କୌଣସି ବି ପରିସ୍ଥିତିରେ ନିଜ ଦାୟିତ୍ବରୁ ଓହରି ଯାଇନାହାନ୍ତି ଟ୍ରକ ଚାଳକ ଏବଂ ମାଲିକ |ମହାମାରୀ କୋଭିଡ ସମୟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିବାରେ ମାଲବାହୀ ଗାଡି ଗୁଡିକ ମଧ୍ୟ ଅତି ଗୁରୁତ୍ୱପୂର୍ଣ ଭୂମିକା ତୁଲାଉଛନ୍ତି |

ଡିଜେଲ ଦରରେ ଅହେତୁକ ବୃଦ୍ଧି ହେତୁ ଜଟଣୀର ମା’ ଜଟିଆଣି ଟ୍ରକ ମାଲିକ ମହାସଂଘର ମାଲିକ ମାନେ ଗତ ୨୦୨୦ ମାର୍ଚ୍ଚ ମାସରେ ଗାଡିଭଡା ବଢେଇବା ପାଇଁ ପ୍ରଶାସନ ଏବଂ ଠିକାଦାରଙ୍କୁ ଦାବି କରିଥିଲେ |କିନ୍ତୁ ହଠାତ କରୋନା ମହାମାରୀ ଯୋଗୁଁ ଜିଲ୍ଲା ପ୍ରଶାସନର ଅନୁରୋଧ ରକ୍ଷା କରି ସେହି ପୁରୁଣା ଦରରେ ଏବେ ମଧ୍ୟ ମାଲ ପରିବହନ କରୁଛନ୍ତି ଟ୍ରକ ଗୁଡିକ |ବହୁ କ୍ଷତିରେ ଟ୍ରକ ଚାଲୁଥିଲେ ମଧ୍ୟ କରୋନାର ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ଆଜି ପର୍ଯ୍ୟନ୍ତ କେବେବି ମାଲ ପରିବହନ କରିବାରେ ଅବହେଳା କରାଯାଇ ନାହିଁ |ବାକିରେ ଉଭୟ ସରକାରୀ ଏବଂ ବେସରକାରୀ ମାଲ ପରିବହନ କରାଯାଉଛି |ମାଲିକ ମାନଙ୍କୁ ମାସେ ଦୁଇ ମାସ ପରେ ଭଡା ଟଙ୍କା ମିଳୁଛି |ବଡ଼ ଆଶ୍ଚର୍ଯ୍ୟର କଥା ୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ଗାଡି ଭଡା ଦର ବୃଦ୍ଧି ହେଉନାହିଁ |ଡିଜେଲ ଲିଟର ପିଛା ୬୫ଟଙ୍କା ଥିବା ବେଳେ ଯେଉଁ ଭଡା ଧାର୍ଯ୍ୟ ହୋଇଥିଲା ଆଜି ବର୍ତ୍ତମାନ ସମୟରେ ୯୨ଟଙ୍କା ଡିଜେଲ ଦରରେ ମଧ୍ୟ ଟ୍ରକ ମାଲିକ ମାନେ ମାଲ ପରିବହନ କରୁଛନ୍ତି | ତଥାପି ଚାଲିଛି ମାଲ ପରିବହନ |

ଆଜି ହଠାତ ସମ୍ପୃକ୍ତ ଠିକାଦାର ଏବଂ ଦାୟିତ୍ୱରେ ଥିବା ଯୋଗାଣ ଅଧିକାରୀ ବାହାର ଜିଲ୍ଲାର ୮୦ରୁ ଅଧିକ ଟ୍ରକ ଜଟଣୀ ସ୍ଥିତ ଖାଦ୍ୟ ନିଗମକୁ ମାଲ ଲୋଡ଼ କରିବା ପାଇଁ ଆସିଥିଲେ |ଯାହାକୁ ଜଟିଆଣି ଟ୍ରକ ମାଲିକ ମହାସଂଘ ବିରୋଧ କରିଥିଲା |ଜଟଣୀରେ ଟ୍ରକ ମାଲିକ ମାନଙ୍କର ୧୦ଲକ୍ଷରୁ ଉର୍ଦ୍ଧ୍ବ ଭଡା ଟଙ୍କା ବାକି ଥାଇ ଟ୍ରକ ମାଲିକ ସଙ୍ଘକୁ ନଜଣେଇ ମନଇଚ୍ଛା ବାହାର ଜିଲ୍ଲାର ଟ୍ରକ ଆଣି ଲୋଡ କରିବାକୁ ନିନ୍ଦା କରିଛନ୍ତି ମହାସଂଘ ସଭାପତି ସଂଗ୍ରାମ କେଶରୀ ରାଉତରାୟ |ସେପଟେ ଲୋଡ଼ିଂ ପାଇଁ ଆସିଥିବା ଟ୍ରକ ଗୁଡିକ ଓଲଟା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅନୁମତି ପତ୍ର ଦେଖାଇଥିଲେ |ଏ ନେଇ ମହାସଂଘ ତରଫରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲା |ଜିଲ୍ଲାପାଳ କହିଥିଲେ ଯୋଗାଣ ଅଧିକାରୀ ଏବଂ ସମ୍ପୃକ୍ତ ଠିକାଦାର ଟ୍ରକ ମାଲିକ ମହାସଂଘ ନାଁରେ ଦୀର୍ଘ ଦିନ ହେଲା ମାଲ ପରିବହନ କରୁନଥିବାର ଅଭିଯୋଗ ଆଣିଛନ୍ତି |ସେଥିପାଇଁ ବାହାର ଗାଡି ଲୋଡ଼ିଂ ପାଇଁ ଅନୁମତି ଦିଆଯାଇଛି |କିନ୍ତୁ ଖାଦ୍ୟନିଗମ ରେଜିଷ୍ଟାର ଅନୁସାରେ ଗତ ଶନିବାର ପର୍ଯ୍ୟନ୍ତ ଟ୍ରକ ମାଲିକ ମହାସଂଘ ଲୋଡ଼ିଂ ପାଇଁ ଗାଡି ପଠାଇଛି |

ଏହି ଘଟଣାକୁ ନେଇ ଉଭୟ ଠିକାଦାର ଏବଂ ଯୋଗାଣ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ |ପୁନର୍ବାର ଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲା |ଘଟଣା ସ୍ଥଳକୁ ଜଟଣୀ ତହସିଲଦାର ଏବଂ ଜଟଣୀ ପୋଲିସ ପହଞ୍ଚି ମାଲିକ ମାନଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା କମିଥିଲା |ମହାସଂଘର ବରିଷ୍ଠ ସଦସ୍ୟ ଅନନ୍ତ ଶତପଥି କହିଛନ୍ତି କେବଳ ଜିଲ୍ଲାପାଳଙ୍କ କଥାକୁ ସମ୍ମାନ ଦେଇ ଆଜି ଦିନକ ପାଇଁ ବାହାର ଗାଡି ଲୋଡ଼ିଂ କରାଯିବ |ଆସନ୍ତାକାଲି ଠାରୁ ଏଭଳି ବାହାର ଗାଡି ଲୋଡ଼ିଂ ପାଇଁ ଆସିଲେ ଏହାର ଦୃଢ଼ ଜବାବ ଦିଆଯିବ |