Odia News Portal

ପୃଥ୍ୱୀଙ୍କ ପ୍ରହାରରେ କେକେଆର ଘାଇଲା

ଅହମ୍ମଦାବାଦ: ଯୁବ ତାରକା ପୃଥ୍ୱୀ ଶ’ ଙ୍କ ପ୍ରହାରରେ କେକେଆର ଘାଇଲା । ତାଙ୍କର ଧୂଅାଁଧାର ୮୨ ରନ୍ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ ବିଜୟୀ ହୋଇଛି । ଗତ ମ୍ୟାଚରେ ମାତ୍ର ୧ ରନରେ ହାରିଥିବା ଦିଲ୍ଲୀ ଏହି ମ୍ୟାଚ୍ ଜିଣି ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଏହି ବିଜୟ ସହ ଦିଲ୍ଲୀ ଆଇପିଏଲ୍ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି ।

କେକେଆର ଦ୍ୱାରା ୧୫୫ ରନର ଟାର୍ଗେଟକୁ ଦିଲ୍ଲୀ ମାତ୍ର ୧୬.୩ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଛି । ପୃଥ୍ୱୀ ଶ’ ୪୨ ବଲରେ ୧୧ ଚୌକା ଓ ୩ ଛକା ସହ ୮୨ ଏବଂ ଧୱନ୍ ୪୭ ବଲରେ ୪ ଚୌକା ଓ ୧ ଛକା ସହ ୪୬ ରନ୍ କରି ଆଉଟ୍ ହୋଇଛନ୍ତି । ଉଭୟ ପୃଥ୍ୱୀ ଓ ଧୱନ୍ ପ୍ରଥମ ୱିକେଟ୍ ପାଇଁ ୧୩୨ ରନ୍ ଯୋଡ଼ିଛନ୍ତି, ଯାହା ଦିଲ୍ଲୀର ବିଜୟ ପାଇଁ ଯଥେଷ୍ଟ ଥିଲା ।

ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀକୁ ଅବିଶ୍ୱସନୀୟ ଆରମ୍ଭ ଦେଇଥିଲେ ପୃଥ୍ୱୀ । ଇନିଂସର ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିବା ଶିବମ୍ ମାଭି ପ୍ରଥମ ବଲରେ ନୋ’ ବଲ୍ ପକାଇଥିଲେ । କିନ୍ତୁ ପରବର୍ତ୍ତୀ ୬ ବଲରେ ପୃଥ୍ୱୀ କ୍ରମାଗତ ୬ ଚୌକା ମାରି ନୂଆ ରେକର୍ଡ ସ୍ଥାପନ କରିଥିଲେ । ଏହା ପରେ ପୃଥ୍ୱୀ ଗୋଟିଏ ପଟେ ଦ୍ରୁତ ଗତିରେ ରନ୍ କରିଚାଲିଥିବା ବେଳେ ତାଙ୍କୁ ଭରପୂର ସହଯୋଗ କରିଥିଲେ । ଫଳରେ ପୃଥ୍ୱୀ ମାତ୍ର ୧୮ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରି ନେଇଥିଲେ ।

ଏକ ସମୟରେ ଲାଗୁଥିବା ଦୁଇ ଓପ୍ନର ବିନା କ୍ଷତିରେ ଦଳକୁ ଜିତାଇ ଦେବେ । କିନ୍ତୁ ଉଭୟ ଧୱନ ଓ ପୃଥ୍ୱୀଙ୍କୁ ଆଉଟ୍ କରି ପ୍ୟାଟ୍ କମିନ୍ସ ଦିଲ୍ଲୀର ଏହି ଆଶା ଧୂଳିସାତ୍ କରିଦେଇଥିଲେ । ଧୱନଙ୍କ ସ୍ଥାନରେ ଆସିଥିବା କ୍ୟାପଟେନ୍‌ ଋଷଭ ପନ୍ତ ଦ୍ରୁତ ୧୬ (୮ ବଲ, ୨ ଛକା, ୧ ଚୌକା) ରନ୍ କରି କମିନ୍ସଙ୍କ ଶିକାର ହୋଇଥିଲେ । ମାର୍କସ୍ ଷ୍ଟୋଇନିସ୍ ୬ ରନ୍ କରି ଅପରାଜିତ ଥିଲେ । କେକେଆର୍ ପକ୍ଷରୁ କମିନ୍ସ ୩ଟି ଯାକ ୱିକେଟ୍ ନେଇଥିଲେ ।

ଏହା ପୂର୍ବରୁ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୪ ରନ୍ କରିଥିଲା । ରସେଲ୍ ଦ୍ରୁତ ୪୫ (୨୭ ବଲ୍‌, ୨ ଚୌକା, ୪ ଛକା) ରନ୍ ଓ ଶୁବମନ୍ ଗିଲ୍ ୪୩ (୩୮ ବଲ୍‌, ୩ ଚୌକା ଓ ୧ ଛକା) ରନ୍ କରିଛନ୍ତି । କେକେଆରର ଆରମ୍ଭ ନୈରାଶ୍ୟଜନକ ରହିଥିଲା । ଓପ୍ନର ନୀତୀଶ ରାଣା (୧୨) ଓ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ୍ ତ୍ରିପାଠୀ (୧୯) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ।

ଲଗାତର ନିରାଶ କରିଥିବା ଗିଲ୍ ଶେଷରେ ଫର୍ମ ହାସଲ କରିଛନ୍ତି । କିନ୍ତୁ ମିଡଲ୍ ଅର୍ଡରରେ କ୍ୟାପଟେନ୍ ମୋର୍ଗାନ୍ ଓ ସୁନୀଲ ନରିନ୍ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ଦୁହିଁଙ୍କୁ ଲଲିତ ଯାଦବ ପ୍ୟାଭିଲିୟନ୍ ପଠାଇଥିଲେ । ଦିନେଶ କାର୍ତ୍ତିକ (୧୪) ମଧ୍ୟ ସୁଯୋଗର ଫାଇଦ ଉଠାଇବାରେ ବିଫଳ ହୋଇଛନ୍ତି । ରସେଲ୍ ଆରମ୍ଭରୁ ଧିମା ବ୍ୟାଟିଂ କରିଥିଲେ, କିନ୍ତୁ ଶେଷ ତିନି ଓଭରରେ ସେ ଦ୍ରୁତ ରନ୍ କରି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ପ୍ୟାଟ୍ କମିନ୍ସ ୧୩ ବଲରେ ମାତ୍ର ୧୧ ରନ୍ କରି ଅପରାଜିତ ଥିଲେ । ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ୍ ଓ ଲଲିତ ୨ଟି ଲେଖାଏ ୱିକେଟ୍ ନେଇଥିଲେ ।