ଆଜିଠୁ ପୁରୀ ଅଠରନଳା ପୋଲ ଉପରେ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ି ଯାତାୟତ ବନ୍ଦ କରାଯାଇଛି। ଐତିହ୍ୟ କିର୍ତ୍ତିରାଜି ସୁରକ୍ଷା ଓ ସଂରକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏଏସ୍ଆଇର ରିପୋର୍ଟ ଆଧାରରେ ଆଜିଠାରୁ ଅଠରନଳାକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରଶାସନର ସୂଚନା ଅନୁସାରେ ଐତିହ୍ୟ ବହନ କରୁଥିବା ଅଠରନଳାର ସ୍ଥିତି ଦୁର୍ବଳ ହୋଇ ପଡିଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏପରିକି ୮୫ ମିଟର ଲମ୍ବ ଏହି ସେତୁର ଦୁଇପଟେ ବ୍ୟାରିକେଡ କରି ବନ୍ଦ କରି ଦିଆଯାଇଛି ।

୧୦ ବର୍ଷ ପୂର୍ବରୁ ଚାରିଚକିଆ ଓ ଭାରିଯାନ ଚଳାଚଳ ଉପରେ ରୋକ ଲଗାଇଯାଇଥିଲା । ପ୍ରତ୍ନତତ୍ତ୍ୱ ବିଭାଗ ପୁରୀ ପୌରବିଭାଗକୁ ନୋଟିସ କରିବା ପରେ ଯାନବାହାନ ଚଳାଚଳ ଉପରେ ସମ୍ପୂର୍ଣ ରୋକ୍ ଲଗାଯାଇଛି । ପ୍ରଥମେ ଜଗନ୍ନାଥ ମନ୍ଦିର ଓ ତା ଚାରିପାଖ ଆଉ ଏବେ ସହରର ଥିବା ସମସ୍ତ କିର୍ତ୍ତିରାଜି ପୁନଃରୁଦ୍ଧାରରେ ଲାଗିପଡିଛନ୍ତି ରାଜ୍ୟ ସରକାର। ପୁରୀ ସହରରେ ପ୍ରବେଶ କରିବା ପୂର୍ବରୁ ଥିବା ଏହି ପ୍ରାଚୀନ କୀର୍ତ୍ତିରାଜି ଅଠରନଳା ପୋଲର ପୁନରୁଦ୍ଧାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି |