ନୂଆଦିଲ୍ଲୀ: କ୍ୱାଡ଼ ସଂଗଠନ ବିଶ୍ୱର ମଙ୍ଗଳ ପାଇଁ କାର୍ଯ୍ୟକରୁଛି । କରୋନା ଟିକା,ଜଳବାୟୁ ପରିବର୍ତ୍ତନ ଓ ଉଦୀୟମାନ ଟେକନଲୋଜୀ କ୍ଷେତ୍ରରେ ଏହାର କାର୍ଯ୍ୟ ଏହାକୁ ବିଶ୍ୱର ଏକ ମଙ୍ଗଳକାରୀ ଶକ୍ତିରେ ପରିଣତ କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଥମ କ୍ୱାଡ୍ ଶିଖର ସମ୍ମିଳନୀରେ ଉଦବୋଧନ ଦେଇ ମୋଦୀ କହିଛନ୍ତି ଯେ କ୍ୱାଡର ସଦସ୍ୟ ରାଷ୍ଟ୍ରମାନେ ନିଜର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ନେଇ ଏକାଠି ହୋଇଛନ୍ତି ।
କ୍ୱାଡ୍ ସମ୍ମିଳନୀ ଭାରତର ପ୍ରାଚୀନ ମୂଲ୍ୟବୋଧ ବସୁଧୈବ୍ କୁଟୁମ୍ବକମକୁ ପ୍ରମାଣିତ କରୁଛି ବୋଲି ମୋଦୀ କହିଛନ୍ତି । ନିଜର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆଗେଇନେବାରେ ଓ ଏକ ସୁରକ୍ଷିତ ଇଣ୍ଡୋ-ପାସିଫିକ ନିଶ୍ଚିତ କରିବାରେ ଏହି ସଂଗଠନ କାର୍ଯ୍ୟକରିଚାଲିବ । ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଘରୋଇ ଚାହିଦା ବୃଦ୍ଧି ସହ ଏକ ସ୍ଥାୟୀ ବିଶ୍ୱ ଆର୍ଥିକ ଅଭିବୃଦ୍ଧି ହାସଲ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।
ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଆଜିର କ୍ୱାଡ୍ ବୈଠକରେ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ ମଧ୍ୟ ଯୋଗଦେଇଥିଲେ । ରାଷ୍ଟ୍ରପତିଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ହେଉଛି ବାଇଡେନଙ୍କ ଦ୍ୱିତୀୟ ଉଚ୍ଚସ୍ତରୀୟ ବହୁରାଷ୍ଟ୍ରୀୟ ସମ୍ମିଳନୀ । ପୂର୍ବରୁ ସେ ଜି-୭ ସମ୍ମିଳନୀରେ ଯୋଗଦେଇଥିଲେ ।