Odia News Portal

ପଞ୍ଜାବରେ ଶାନ୍ତି ବଜାୟ ରଖିବା ଆପ ସରକାରଙ୍କ କ୍ଷମତା ବାହାରେ: ରାହୁଲ ଗାନ୍ଧୀ

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ତାଙ୍କ ପରିବାରକୁ ଭେଟିବାକୁ ଯାଇ ମନ୍ସାରେ ଥିବା ତାଙ୍କ ବାସଭବନରେ ପହଞ୍ଚିଥିଲେ। ସେ ସକାଳେ ଚଣ୍ଡୀଗଡ଼ ବିମାନବନ୍ଦରରେ ପହଞ୍ଚିବା ପରେ କାର୍ ଯୋଗେ ମୁସେୱାଲାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇ ତାଙ୍କ ବାସଭବନରେ ପହଞ୍ଚି ସେମାନଙ୍କୁ ସମବେଦନା ଜଣାଇଥିଲେ। ସେପଟେ ମୁସେୱାଲାଙ୍କ ପରିବାରକୁ ଭେଟିବା ପରେ ରାହୁଲ ଏକ ଟ୍ବିଟ ଯୋଗେ ନିଜ ମନର କଥା କହିଥିବା ଦେଖାଯାଇଛି। ସେ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ସିଦ୍ଧୁ ମୁସେୱାଲାଙ୍କ ପିତାମାତା ଯେଉଁ ଦୁଃଖ ଭୋଗୁଛନ୍ତି ତାହା ବର୍ଣ୍ଣନା କରିବା କଷ୍ଟକର। ସେମାନଙ୍କୁ ନ୍ୟାୟ ଦେବା ଆମର କର୍ତ୍ତବ୍ୟ ଏବଂ ଆମେ ତାହା କରିବୁ। ରାଜ୍ୟର ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭଙ୍ଗ ହୋଇଛି।

ପଞ୍ଜାବରେ ଶାନ୍ତି ବଜାୟ ରଖିବା ଆପ୍ ସରକାରଙ୍କ କ୍ଷମତା ବାହାରେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଅନ୍ୟପଟେ ଅନ୍ୟପକ୍ଷରେ ଏପର୍ୟ୍ୟନ୍ତ ମୁସେୱାଲାଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ୨ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରାଯାଇଛି। ସିସିଟିଭି ଯାଞ୍ଚ କରିବା ପରେ ସେଲଫି ନେବା ବାହାନାରେ ମୁସେୱାଲାଙ୍କ ବିଷୟରେ ସାର୍ପ ସୁଟରକୁ ଖବର ଦେଇଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ହତ୍ୟାକାଣ୍ଡ ସହ ଜଡ଼ିତ ଥିବା ସନ୍ଦେହ କରି ପୁଲିସ ତାକୁ ଗିରଫ କରିଥିବା ଜଣାପଡ଼ିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।