Odia News Portal

ହିଡ଼ମା ଚକ୍ରବ୍ୟୁହରେ କେମିତି ଫସିଲେ ଯବାନ

ରାୟପୁର : ସୁକମାରେ ଘଟିଥିବା ମାଓବାଦୀଙ୍କ ନରସଂହାର ଦେଶବାଦୀଙ୍କୁ ସ୍ତବ୍ଧ କରିଦେଇଛି । ଚଳିତ ବର୍ଷ ଏହା ସବୁଠାରୁ ବଡ ମାଓ ହମଲା । ତେବେ ଏତେ ବଡ଼ ଘଟଣା କେମିତି ଘଟିଗଲା ତାହା ସବୁଠାରୁ ଚର୍ଚ୍ଚାରେ ବିଷୟ । ଏତେ ସଂଖ୍ୟକ ମାଓବାଦୀଙ୍କ ଉପସ୍ଥିତି ବିଷୟରେ କେମିତି ଜାଣିପାରିଲେନି ଯବାନ । କୋଉଠି ରହିଗଲା ଭୁଲ୍ । ମୋଷ୍ଟୱାଣ୍ଟେଡ୍ ହିଡମାକୁ ଧରିବାକୁ କେମିତି ଫସିଗଲେ ଆମ ସୁରକ୍ଷାବଳ ଆସନ୍ତୁ ଜାଣିବା ।
କୁଖ୍ୟାତ ମାଓବାଦୀ ହିଡମାକୁ ଧରିବା ପାଇଁ ଯବାନ ତାରି ଗଡରେ ପ୍ରବେଶ କରିଥିଲେ। ୨୦୦୦ ଯବାନଙ୍କ ଦଳ ଭିନ୍ନ ଭିନ୍ନ ଇଲାକାରେ ହିଡମାର ଗୋଷ୍ଠୀକୁ ଧରିବା ପାଇଁ ଜଙ୍ଗଲ ଭିତରକୁ ପଶିଥିଲେ। ମାଓବାଦୀମାନେ ଆରମ୍ଭରୁ ଯବାନଙ୍କୁ କୌଣସି ପ୍ରକାରର ଆକ୍ରମଣ କି ବାଧା ଦେଇନଥିଲେ। ଯବାନଙ୍କୁ ସେମାନଙ୍କର ଉପସ୍ଥିତି ବିଷୟରେ କୌଣସି ସୁରାକ ଜାଣିବାକୁ ଦେଇନଥିଲେ। ଯବାନମାନଙ୍କୁ ଘଞ୍ଚ ଜଙ୍ଗଲ ଭିତରକୁ ପଶିବାକୁ ଦେଇଥିଲେ।

ସୁରକ୍ଷାବଳର ଟିମ୍ ଅନେକ ଦଳରେ ବିଭକ୍ତ ହୋଇଥିଲେ। ଫଳରେ ଗୋଟିଏ ଦଳକୁ ହିଡମାର ବାଟାଲିୟମ ନିଜ ଆମ୍ବୁସରେ ଫସାଇଥିଲେ। ଏହାପରେ ଯବାନଙ୍କୁ ଘେରି ଆଖିବୁଜା ଗୁଳିମାଡ ଆରମ୍ଭ କରିଥିଲେ। ସୂତ୍ର ଅନୁଯାୟୀ ହିଡମାର ବାଟାଲିୟନ ଯବାନଙ୍କୁ ତିନି ପାର୍ଶ୍ଵରୁ ଘେରି ଯାଇଥିଲେ। ଯବାନ ଘଞ୍ଚ ଜଙ୍ଗଲରେ ଫସି ଯାଇଥିଲେ ଏବଂ ମାଓବାଦୀ ପାହାଡ ଉପରୁ ଗୁଳିମାଡ କରିଥିଲେ।

ଚତୁଃପାର୍ଶ୍ଵରେ ଘେରି ହୋଇ ରହିଥିବା ଯବାନଙ୍କ ପାଖରେ ଆଉ କୌଣସି ବାଟ ନଥିଲା। ଏହା ପରେ ମଧ୍ୟ ଯବାନ ହିଡମା ବାଟାଲିୟନକୁ ମୁହଁତୋଡ ଜବାବ ଦେଇଥିଲେ। ଏହି ଆକ୍ରମଣରେ ମାଓବାଦୀଙ୍କ ମଧ୍ୟ ବହୁତ କ୍ଷତି ଘଟିଛି। ପୋଲିସ ସୂତ୍ର ଅନୁଯାୟୀ, ନକ୍ସଲ ଘଟଣାସ୍ଥଳରୁ ଚାରି ଟ୍ରାକ୍ଟରରେ ଭରି ନିଜ ସାଥୀଙ୍କୁ ନେଇ ଯାଇଥିଲେ। କିଛି ଦିନ ପୂର୍ବେ ହିଁ ହିଡମା ପୋଲିସକୁ ଚ୍ୟାଲେଞ୍ଜ ଦେଇଥିଲା।

କୁହାଯାଉଛି ଯେ, ହିଡମାର ସୁରକ୍ଷାରେ ମାଓବାଦୀଙ୍କ ସବୁଠୁ ଘାତକ ଦଳ ମୁତୟନ ଥାନ୍ତି। ଏହି ଦଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ। ଏନକାଉଣ୍ଟର ସ୍ଥଳରେ ଉପସ୍ଥିତ ଜଣେ ଯବାନ କହିଛନ୍ତି, ଏହି ଟିମ୍‌ରେ ପ୍ରାୟ ୮୦୦ ମାଓବାଦୀ ଥିଲେ। ସେମାନେ ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ହିଡମା କେତେବେଳେ ଛତିଶଗଡ ତ କେତେବେଳେ ଆନ୍ଧ୍ର ପ୍ରଦେଶ ଏବଂ କେତେବେଳେ ଆନ୍ଧ୍ରପ୍ରଦେଶରେ ଶରଣ ନେଇଥାଏ।

ହିଡମା ସହିତ ରହୁଥିବା ମାଓବାଦୀଙ୍କ ପାଖରେ ଅନେକ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ରହିଛି। ଅନେକ ରାଜ୍ୟର ପୋଲିସ ମାଓବାଦୀ ହିଡମାର ସନ୍ଧାନରେ ଅଛନ୍ତି। ଏହା ପରେ ମଧ୍ୟ ସେ ପୋଲିସ ଅପହଞ୍ଚରେ ରହିଛି। ପୋଲିସ ଦଳ ଉପରେ ତାର ଟିମ୍ ରକେଟ୍ ଲଞ୍ଚରରେ ଆକ୍ରମଣ କରିଛନ୍ତି। ପାହାଡଉପରୁ ମାଓବାଦୀ ସହଜରେ ତଳେ ଥିବା ଯବାନଙ୍କୁ ନିଜର ଟାର୍ଗେଟ୍ କରିଥିଲେ। ଆହତ ଯବାନଙ୍କ ଅନୁଯାୟୀ, ୟୁବିଜିଏଲ, ରକେଟ୍ ଲଞ୍ଚର ଓ ଇନସାସ୍ ସମେତ ଏକେ-୪୭ରୁ ୟୁସେପ୍‌ରେ ଦୁଇ ପାହାଡ ମଧ୍ୟରେ ଘେରି ମାଓବାଦୀ ୧୦୦ ରୁ ୨୦୦ ମିଟର ଦୂରରୁ ଗୁଳିମାଡ କରୁଥିଲେ।