Odia News Portal

କେକେଆର ବିରୋଧରେ ରାଜ୍ କଲା ରୟାଲ୍ସ

.ମୋରିସଙ୍କ ଫାସରେ ପଡ଼ିଲେ କେକେଆର ବ୍ୟାଟ୍ସମ୍ୟାନ
.୬ ୱିକେଟରେ ଜିତିଲା ରାଜସ୍ଥାନ ରୟାଲ୍ସ

ମୁମ୍ବାଇ: ଆଇପିଏଲ୍ ଲୋ ସ୍କୋରିଂ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ୬ ୱିକେଟରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ୧୩୪ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୮.୫ ଓଭରରେ ୪ ୱିକେଟ ହରାଇ ବିଜୟ ହାସଲ କରିଛି । କୋଲକାତା ଟିମ୍‌ ୨୦ ଓଭରରେ ୯ଟି ୱିକେଟ୍‌ ହରାଇ ୧୩୩ ରନ୍‌ କରିଥିଲା। ରାଜସ୍ଥାନ ୧୩୪ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୮.୫ ଓଭରରେ ୪ ୱିକେଟ ହରାଇ ବିଜୟ ହାସଲ କରିଛି । ଏହି ବିଜୟ ସହ ରାଜସ୍ଥାନ ୪ ଅଙ୍କ ସଂଗ୍ରହ କରି ପଏଣ୍ଟ ଟେବୁଲରେ ୬ଷ୍ଠ ସ୍ଥାନରେ ରହିଥିବା ବେଳେ କୋଲକାତା ଲଗାତାର ୪ର୍ଥ ପରାଜୟ ସହ ତାଲିକାର ଶେଷରେ ରହିଛି ।

ପ୍ରଥମେ ରାଜସ୍ଥାନ ଟସ୍‌ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିଥିଲା। ରାଜସ୍ଥାନର ଦମଦାର ବୋଲିଂ କାରଣରୁ କୋଲକାତା ଟିମ୍‌ ୨୦ ଓଭରରେ ୯ଟି ୱିକେଟ୍‌ ହରାଇ ୧୩୩ ରନ୍‌ କରିଥିଲା।

କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ଇନିଂସ ଆରମ୍ଭ କରିଥିଲେ ନୀତିଶ ରାଣା ଓ ଶୁଭମାନ ଗିଲ। ଦଳୀୟ ସ୍କୋର ୨୪ ରନ୍‌ରେ ଇଅନ୍‌ ମୋର୍ଗାନଙ୍କ ନେତୃତ୍ବରେ ଖେଳୁଥିବା କୋଲକାତା ଟିମ୍‌ ପ୍ରଥମ ୱିକେଟ୍‌ ଭା‌ବରେ ଶୁଭମାନ୍‌ (୧୧ ରନ୍‌)ଙ୍କୁ ହରାଇଥିଲା। ନୀତିଶ ୨୫ଟି ବଲ ଖେଳି ୨୨ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। କୋଲକାତା ପାଇଁ ରାହୁଲ ତ୍ରିପାଠୀ ସର୍ବାଧିକ ୩୬ ରନ୍‌ ସଂଗ୍ରହ କରିଥିଲେ। ସେ ୨୬ଟି ବଲ ଖେଳି ଗୋଟିଏ ଚୌକା ଏବଂ ୨ଟି ଛକା ମାରିଥିଲେ। ଦିନେଶ କାର୍ତ୍ତିକ ୨୪ଟି ବଲ ଖେଳି ୨୫ ରନ୍‌ କରିଥିଲେ। ଏଥିରେ ୪ଟି ଚୌକା ସାମିଲ ଥିଲା। ଇଅନ୍‌ ମୋର୍ଗାନ କୌଣସି ବଲ୍‌ ସମ୍ମୁଖୀନ ନ ହୋଇ ରନ୍‌ ଆଉଟ୍‌ ହୋଇ ପାଭଲିଅନକୁ ଫେରିଥିଲେ।

ରାଜସ୍ଥାନ ରୟାଲ୍ସ ପାଇଁ କ୍ରିସ ମୋରିସ ଆଜି ଭଲ ବୋଲିଂ କରିଥିଲେ। ସେ ୪ ଓଭର ବୋଲିଂ କରି ୨୩ ରନ୍‌ ଖର୍ଚ୍ଚ କରିଥିଲେ। ଜବାବରେ ମୋରିସ ୪ଟି ୱିକେଟ ନେଇଥିଲେ। ଜୟଦେବ ଉନାଦକଟ, ଚେତନ ସାକାରିଆ ଓ ମୁସ୍ତାଫିଜୁର ରହମାନ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

୧୩୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସ ୨୧ ରନରେ ଜୋସ୍  ବଟଲର(୫ ରନ) ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଯଶସ୍ଵୀ ଜୟସଓ୍ଵାଲ ୧୭ ବଲ୍‌ରୁ ୫ ଚୌକା ସହ ୨୨ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ସଞ୍ଜୁ ସାମସନ କ୍ରିଜ୍‌ରେ ଜମି ରହି  ଦଳର ଇନିଂସକୁ ସମ୍ଭାଳିଥିଲେ। ଶିବ ଦୁବେ ୨୨ ରନ କରି ପାଭିଲିୟନ ଫେରିଥିଲେ। ରାହୁଲ ତେଓ୍ଵତିଆ(୫ ରନ) ବିଫଳ ହୋଇଥିଲେ। ଏହା ପରେ ସାମସନ  ଓ ମିଲର ଅପରାଜିତ ରହି ଦଳକୁ ୧୮.୫ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟୀ କରାଇଥିଲେ। ସାମସନ ୪୧ ବଲ୍‌ରୁ ୨ ଚୌକା ଓ ୧ ଛକା ସହ ୪୨ ରନ ଓ ମିଲର ୨୪ ରନ କରି ଅପରାଜିତ ଥିଲେ।