Odia News Portal

ଟାକ୍ସି ଭଳି ରାଜଧାନୀରେ ମିଳିବ ସାଇକେଲ

ସ୍ମାର୍ଟସିଟି ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ କରିବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି । ଲୋକଙ୍କର ଦୈନନ୍ଦିନ ଜୀବନ ଶୈଳୀରେ ଏହା ଦ୍ୱାରା ପରିବର୍ତନ ଆସିବା ସହିତ ଭୁବନେଶ୍ୱରକୁ ଏକ ନୂଆ ରୁପରେ ଦେଖିବାକୁ ମିଳିବ । ଏଥିପାଇଁ ସ୍ମାର୍ଟସିଟି ଲିମିଟେଡ ସହରରେ ସାଇକେଲ ସେୟାରିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛି ।
ଏଥିପାଇଁ ରାଜଧାନୀରେ ପ୍ରଥମ ପର‌୍ୟ୍ୟାୟରେ ୨୦୦୦ ସାଇକେଲ୍ ଚଳାଇବାକୁ ଯୋଜନା ହୋଇଥିବାବେଳେ ଏହି ସାଇକେଲ୍ ଏବେ ରାଜଧାନୀରେ ପହଞ୍ଚିଛି । ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିବାର କାର‌୍ୟ୍ୟକ୍ରମ ରହିଛି । ପବ୍ଲିକ ବାଇସାଇକଲେ୍ ସେୟାରିଂ ବ୍ୟବସ୍ଥାରେ ଲୋକଙ୍କୁ ସହଜରେ, କମ୍ ଖର୍ଚ୍ଚରେ ସାଇକେଲ୍ ଚଳାଇବାର ସୁଯୋଗ ମିଳିବ ।
ଜିପିଏସ୍ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ସାଇକେଲ୍ର ବିଶେଷତ୍ୱ ହେଲା ମୋବାଇଲ୍ ଆପ୍ ଦ୍ୱାରା ସାଇକେଲ୍ କେଉଁଠି ଅଛି ତାହା ଜାଣିହେବ । ଏହାସହ ଅନଲାଇନରେ ମଧ୍ୟ ବୁକିଂ ହେବ । ଏହି ଯୋଜନାର ବିଶେଷତ୍ୱ ହେଲା ଜଳଗହଳିପୂର୍ଣ୍ଣ ଅଞ୍ଚଳରୁ ଆରମ୍ଭ କରି ଆବାସିକ ଅଞ୍ଚଳ ପର‌୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ଏହାର ରହଣି ବ୍ୟବସ୍ଥା ହେବ । ଫଳରେ ଲୋକମାନେ ଘରୁ ବାହାରିଲେ ସୁବିଧାରେ ସାଇକେଲ୍ ବ୍ୟବହାର କରିପାରିବେ ଏବଂ ଏହାକୁ ଫେରାଇ ପାରିବେ । ଏହାସହ ପ୍ରତି ୧୦ମିନିଟ୍ରେ ଚାଲିବାକୁ ଥିବା ସିଟି ବସ୍ରେ ଯେଉଁମାନେ ଯାତ୍ରା କରିବେ ସେମାନଙ୍କ ପାଇଁ ବସ୍ କ୍ୟୁ ସେଲ୍ଟର ହିଁ ସାଇକେଲ୍ ଭଡ଼ାରେ ମିଳିବ ।
ରାଜଧାନୀରେ ଲୋକଙ୍କୁ ଭଡ଼ାରେ ସାଇକେଲ୍ ଯୋଗାଇବା ପାଇଁ ତିନିଟି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ହେକ୍ସି ବାଇକ୍ ୧୦୦୦ଟି ହିରୋ ସାଇକେଲ୍ ଯୋଗାଇବାକୁ ଥିବାବେଳେ ୟାନା ଓ ୟୁଲୁ ସଂସ୍ଥା ୫୦୦ଟି ଲେଖାଏଁ ସାଇକେଲ୍ ଦେବେ । ଏହି ସାଇକେଲ୍ଗୁଡ଼ିକୁ ଯେପରି କମ୍ ବୟସର ପିଲା, ସ୍କୁଲ ଛାତ୍ରଛାତ୍ରୀ ଏବଂ ଶାଢ଼ି ପିନ୍ଧିଥିବା ମହିଳାମାନେ ଚଲାଇପାରିବେ ସେହିଭଳି ଏହାକୁ ନିର୍ମାଣ କରାଯାଇଛି । ଆବଶ୍ୟକସ୍ଥଳେ ସିଟ୍କୁ ତଳ ଉପର କରି ହେବ । ବାହାରକୁ ସାଇକେଲ୍ ନଯିବା ପାଇଁ ଏଥିରେ ସ୍ମାର୍ଟ ଲକିଂ ବ୍ୟବସ୍ଥା କରାଯାଇଛି । ଏହାସହ ଲୋକମାନେ ମୋବାଇଲ୍ ଆପ୍ ବ୍ୟବହାର କରି ସାଇକେଲ୍ ଲକ୍ ଖୋଲିପାରିବେ ।