Odia News Portal

ହୃଦଘାତରେ ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ପରଲୋକ

ବିଜେପି ନେତ୍ରୀ ସୋନାଲୀ ଫୋଗଟ୍ ଆଉ ନାହାନ୍ତି। ତାଙ୍କର ଗତକାଲି ରାତିରେ ହୃଦ୍ଘାତରେ ମୃତ୍ୟୁ ଘଟିଛି। ସୋନାଲୀ ତାଙ୍କର କିଛି କର୍ମଚାରୀଙ୍କ ସହ ଗୋଆ ବୁଲିବାକୁ ଯାଇଥିବା ବେଳେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।ସୋନାଲୀ ଶେଷ ଥର ପାଇଁ ‘ବିଗବସ୍-୧୪’ରେ ଦେଖିବାକୁ ମିଳିଥିଲେ। ସେ ଜଣେ ୱାଇଲ୍ଡକାର୍ଡ ପ୍ରତିଯୋଗୀ ଭାବେ ବିଗବସରେ ପ୍ରବେଶ କରିଥିଲେ। ତାହା ପରେ ତାଙ୍କୁ ବହୁଳମାତ୍ରାରେ ଲୋକପ୍ରିୟତା ମିଳିଥିଲା। ସେ ୨୦୧୯ ମସିହା ହରିଆଣା ବିଧାନସଭା ନିର୍ବାଚନରେ ଆଦମାପୁରରୁ ବିଜେପି ଟିକେଟ୍ ପାଇ ନିର୍ବାଚନ ଲଢ଼ିଥିଲେ। ସେ ସମୟରେ ସେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢୁଥିବା କୂଳଦୀପ ବିଷ୍ନୋଇଙ୍କୁ ପ୍ରତିଦ୍ବନ୍ଦିତା କରୁଥିଲେ। କୂଳଦୀପ ନିକଟରେ ଦଳ ପରିବର୍ତ୍ତନ କରି ବିଜେପିର ସାମିଲ୍ ହୋଇଛନ୍ତି।
ସୋନାଲୀଙ୍କର ଜଣେ ଝିଅ ଅଛନ୍ତି, ଯିଏକି ତାଙ୍କର ଖୁବ୍ ଘନିଷ୍ଠ। ସୋନାଲୀ ଟିକଟକରେ ଖୁବ୍ ଲୋକପ୍ରିୟ। ୨୦୧୬ ମସିହା ଡିସେମ୍ବର ମାସରେ ତାଙ୍କ ସ୍ବାମୀଙ୍କର ରହସ୍ୟଜନକ ଭାବେ ୪୨ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା। ସୋନାଲୀଙ୍କ ଝିଅଙ୍କ ନାମ ଯଶୋଧାରା ଫୋଗଟ୍। ସୋନାଲୀ ଟିଭି ଧାରାବାହିକ ‘ଏକ ମାଆ ଯୋ ଲକ୍ଷନ୍ କେଲିଏ ବନି ଅମ୍ମା’ ଜରିଆରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାପରେ ସେ ହରିଆଣା ଚଳଚ୍ଚିତ୍ର ‘ଚୋରିୟାଁ ଚୋରୋଁ ସେ କମ୍ ନେହିଁ ହୋତି’ରେ ଦେଖିବାକୁ ମିଳିଥିଲେ। କେବଳ ଏତିକି ନୁହେଁ, ସେ ଅନେକ ପଞ୍ଜାବୀ ଓ ହରିଆଣି ମ୍ୟୁଜିକ୍ ଭିଡିଓରେ ବି ସେ ନଜର ଆସିଛନ୍ତି।