ଜୁନ୍ ୬ ରୁ ୧୬ ସ୍କୁଲରେ ଖରା ଛୁଟି। ପାଠପଢା ପାଇଁ ସ୍କୁଲ ଖରାଛୁଟିରେ କାଣ୍ଟଛାଣ୍ଟ କରାଯାଇଛି। ତେବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲୁ ରହିବ। ସକାଳୁଆ ସ୍କୁଲ ପାଇଁ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ମେ ପହିଲାରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏଁ ସ୍କୁଲ ଚାଲିବ। ଏପ୍ରିଲ୍ ୨୦ ମଧ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କ୍ଲାସ୍ ପ୍ରମୋସନ ସରିବ। ସେହିପରି ଏପ୍ରିଲ ୨୦ ରୁ ୩୦ ପ୍ରଥମରୁ ନବମ ନୂଆ ଆଡମିଶନ ଓ ରି-ଆଡମିଶନ ହେବ।
ରାଜ୍ୟରେ ଏଥର ଛାତ୍ରଛାତ୍ରୀଙ୍କୁ ଆଉ ଦୁଇ ମାସର ଖରାଛୁଟି ମିଳବନି । ମାତ୍ର ୧୦ ଦିନ ଛୁଟି ଦିଆଯିବ । ଏହାପରେ ଛାତ୍ରଛାତ୍ରୀଙ୍କ ବ୍ରିଜ୍ କୋର୍ସ ଆରମ୍ଭ ହେବ । ଗତ ଦୁଇବର୍ଷରେ ସେମାନେ ଯାହା ହରାଇଛନ୍ତି ସେସବୁକୁ ଏହି ବ୍ରିଜ୍ କୋର୍ସ ମାଧ୍ୟମରେ ପୂରଣ କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଚାର ବିମର୍ଷ କରୁଛି।
କରୋନା ପାଇଁ ଦୁଇବର୍ଷ ହେବ ପିଲାଙ୍କ ପାଠପଢ଼ାରେ ଗଭୀର ପ୍ରଭାବ ପଡ଼ିଛି । ପୂରାପୂରି ଦୁଇଟି କ୍ଲାସ୍ରେ ଶିକ୍ଷାଗ୍ରହଣ କରିପାରିନାହାନ୍ତି ଛାତ୍ରଛାତ୍ରୀ । ଅନେକ ତ ସେହି ଦୁଇବର୍ଷରେ କ’ଣ ବିଷୟ ରହିଥିଲା ତାହା ବି ଜାଣିନାହାନ୍ତି । ଯାହାଦ୍ୱାରା ବର୍ତ୍ତମାନ ସେମାନେ ପାଠ ଧରିପାରୁନାହାନ୍ତି । ଦୁଇବର୍ଷ ପରେ ପଞ୍ଚମ ଶ୍ରେଣୀକୁ ଆସିଥିବା ପିଲାମାନେ ତୃତୀୟ ଶ୍ରେଣୀର ପାଠ କରିପାରୁନାହାନ୍ତି । ତେଣୁ ସେମାନଙ୍କର ଏହି କ୍ଷତିକୁ ଭରଣା କରିବା ପାଇଁ ଏବର୍ଷ ଗ୍ରୀଷ୍ମ ଛୁଟି କାଟ୍ ହେବ । ମାତ୍ର ୧୦ ଦିନର ଗ୍ରୀଷ୍ମ ଛୁଟି ମିଳିବ ।
ଏହି ଦୁଇ ସପ୍ତାହରେ ଶିକ୍ଷକମାନଙ୍କୁ ବ୍ରିଜ୍ କୋର୍ସ ଉପରେ ପ୍ରଶିକ୍ଷଣ ଦିଆଯିବ । ଗ୍ରୀଷ୍ମ ଛୁଟି ପରେ ବ୍ରିଜ୍ କୋର୍ସ ଆରମ୍ଭ ହେବ । ଏହାଦ୍ୱାରା ପିଲାମାନେ ହରାଇଥିବା ଶିକ୍ଷାକୁ ପୂରଣ କରାଯାଇପାରିବ । ଏହା ଉପରେ ବିଭାଗ ପକ୍ଷରୁ ଖୁବ୍ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ ।
