ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିର୍ଣ୍ଣାୟକ ମୋଡ଼ରେ ରହିଛନ୍ତି। ଏହାର ଉତ୍ତର ମାଗିବାକୁ ଯାଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହା ସହିତ ଚାରି ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ଆଟର୍ଣ୍ଣି ଜେନେରାଲଙ୍କୁ ମଧ୍ୟ ଏକ ନୋଟିସ ପଠାଯାଇଛି। ବର୍ତ୍ତମାନ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ଦିଆଯାଇପାରିବ କି ନାହିଁ ତାହା ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଏଭଳି ଆବେଦନ ଦିଲ୍ଲୀ ହାଇକୋର୍ଟରେ ବିଚାରଧିନ ରହିଛି। ଏହା ଉପରେ ଓକିଲ ଏନ.କେ କୌଲ କହିଛନ୍ତି ଯେ କେନ୍ଦ୍ର କେରଳ ହାଇକୋର୍ଟଙ୍କୁ କହିଛନ୍ତି ଯେ ସମସ୍ତ ମାମଲା ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟରେ ଲାଗୁ କରିବେ। ତେବେ ଜଷ୍ଟିସ୍ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ ଓ ଜଷ୍ଟିସ୍ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପିଠ ଏହି ମାମଲାର ଶୁଣାଣୀ କରିଛନ୍ତି। ଦୁଇ ସମଲିଙ୍ଗୀ ଯୁବକ ଦମ୍ପତ୍ତି ସେମାନଙ୍କ ବିବାହକୁ ସ୍ୱତନ୍ତ୍ର ବିବାହ ଆଇନରେ ଅନ୍ତର୍ଭୁକ୍ତ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।
ସୁପ୍ରିୟୋ ଚକ୍ରବର୍ତ୍ତି ଏବଂ ଅଭୟ ଡାଙ୍ଗ ନାମକ ଦୁଇ ସମଲିଙ୍ଗୀ ଦମ୍ପତ୍ତି ପାଖାପଖି ୧୦ ବର୍ଷ ହେବ ଏକାଠି ରହି ଆସୁଥିଲେ। ସେମାନଙ୍କ ସମ୍ପର୍କକୁ ସେମାନଙ୍କ ବାପା-ମାଆ, ପରିବାର ଏବଂ ସାଙ୍ଗସାଥିମାନେ ସମର୍ଥନ ଦେଇଥିଲେ। ଆବେଦନକାରୀଙ୍କ କହିବା କଥା ହେଲା ସ୍ବତନ୍ତ୍ର ବିବାହ ଅଧିନିୟମ ଭାରତ ସମ୍ବିଧାନର ବିରୋଧୀ ଅଟେ। ଏହା ସମଲିଙ୍ଗୀ ଦମ୍ପତି ଏବଂ ସାଧାରଣ ଦମ୍ପତିଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରୁଛି। ଏହା ସମଲିଙ୍ଗୀ ଦମ୍ପତିଙ୍କୁ ଆଇନଗତ ଅଧିକାରରୁ ବଞ୍ଚିତ କରିବା ସହିତ ବିବାହରୁ ପ୍ରବାହିତ ସାମାଜିକ ସ୍ୱୀକୃତି ଏବଂ ସ୍ଥିତିରୁ ବଞ୍ଚିତ କରେ ବୋଲି କୁହାଯାଉଛି।
ଅନ୍ୟ ଏକ ଦମ୍ପତି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ଏଥିରେ, LGTBQ ସମ୍ପ୍ରଦାୟର ସମସ୍ତ ସଦସ୍ୟଙ୍କୁ ସ୍ୱୀକୃତି ଦେବା ପାଇଁ ଦାବି ହୋଇଛି। ପାର୍ଥ ଫିରୋଜ ମେହୋରାତ୍ରା ଏବଂ ଉଦୟ ରାଜ ଆନନ୍ଦ ନାମକ ଦୁଇ ସମଲିଙ୍ଗୀ ଗତ ୧୭ ବର୍ଷ ମଧ୍ୟରେ ପରସ୍ପର ସହ ସମ୍ପର୍କରେ ରଖିଛନ୍ତି। ସେମାନେ ଦାବି କରିଛନ୍ତି ଯେ ସେମାନେ ବର୍ତ୍ତମାନ ଦୁଇ ପିଲାଙ୍କୁ ଏକାଠି ପାଳୁଛନ୍ତି, କିନ୍ତୁ ଅବଶୋଷ ଯେ, ସେମାନେ ସେମାନଙ୍କର ବିବାହକୁ ଆଇନଗତ ଭାବରେ ସଂପନ୍ନ କରିପାରି ନାହାନ୍ତି। ଏହା ଏମିତି ଏକ ପରିସ୍ଥିତି ସୃଷ୍ଟି କରିଛି ଯେଉଁଠାରେ ଉଭୟ ଆବେଦନକାରୀ ଆଇନଗତ ଭାବେ ସେମାନଙ୍କର ଦୁଇ ସନ୍ତାନଙ୍କ ସହିତ ପିତାମାତା ଓ ସନ୍ତାନର ସମ୍ପର୍କରେ ରହିପାରିବ ନାହିଁ।
ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ସିନିୟର ଆଡଭୋକେଟ୍ ମୁକୁଲ ରୋହତଗୀ କହିଛନ୍ତି ଯେ ଏହି ଆବେଦନ ନବତେଜ ଜୋହର ଏବଂ ପୁଟାସ୍ୱାମୀ ମାମଲାରେ ଦିଆଯାଇଥିବା କୋର୍ଟର ନିଷ୍ପତ୍ତିକୁ ଆଗକୁ ବଢ଼ାଇଥାଏ। ସମଲିଙ୍ଗୀ ସମ୍ପର୍କ ଆଧାରରେ ଏକାଠି ରହୁଥିବା ଲୋକମାନେ ବୃଦ୍ଧ ହୋଇଯାଉଥିବାରୁ ସେମାନଙ୍କ ଆଗରେ ଉତ୍ତରାଧିକାରୀ ହସ୍ତାନ୍ତର କରିବା ଭଳି ଚିନ୍ତା ଉପୁଜୁଛି। ଏହି ମାମଲାରେ କେରଳ ହାଇକୋର୍ଟ କ’ଣ କହିଛନ୍ତି ବୋଲି ପୀଠ ପ୍ରଶ୍ନ କରିଛନ୍ତି। ଏହା ଉପରେ ଆଡଭୋକେଟ ଏନ.କେ କୌଲ କହିଛନ୍ତି ଯେ ବ୍ୟାଙ୍କର ମିଳିତ ଆକାଉଣ୍ଟ, ସରୋଗେସି ମାଧ୍ୟମରେ ସନ୍ତାନ, ଗ୍ରାଚ୍ୟୁଟି ସମେତ ସମସ୍ତ ପ୍ରସଙ୍ଗକୁ ଧ୍ୟାନରେ ରଖିବାକୁ କୁହାଯାଇଛି।