ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ମ୍ୟୁନିସିପାଲିଟି ନିର୍ବାଚନକୁ ନେଇ ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଟଣାଓଟରା ଚାଲିଛି । ଏ ସମ୍ପର୍କରେ ଆମ୍ ଆଦମୀ ପାର୍ଟି ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛି । କେନ୍ଦ୍ର ସରକାର ହସ୍ତକ୍ଷେପ ନକରି ଦିଲ୍ଲୀରେ ମୁକ୍ତ, ନିରପେକ୍ଷ ଏବଂ ଶୀଘ୍ର ନିର୍ବାଚନ କରିବାକୁ ଦଳ ସୁପ୍ରିମକୋର୍ଟରେ ଦାବି କରିଛି । ସୂଚନାଥାଉ କି, ଗତ ସପ୍ତାହରେ ରାଜ୍ୟ ନିର୍ବାଚନ ଆୟୋଗ ଶେଷ ମୁହୂର୍ତ୍ତରେ ଏମସିଡି ନିର୍ବାଚନର ତାରିଖ ଘୋଷଣାକୁ ସ୍ଥଗିତ ରଖିଥିଲେ ।
ତେବେ ସୁପ୍ରିମକୋର୍ଟରେ ଆମ୍ ଆଦମୀ ପାର୍ଟି କହିଛି ଯେ ନିର୍ବାଚନ ଠିକ୍ ସମୟରେ ହେବା ଉଚିତ ଏବଂ କେନ୍ଦ୍ର ସହ ଆଲୋଚନା ହେତୁ ନିର୍ବାଚନ ତାରିଖ ସ୍ଥଗିତ ରଖାଯିବ ନାହିଁ । ସେ କହିଛନ୍ତି ଯେ ତିନିଟି ଏମସିଡି ମିଶ୍ରଣ ହେବାର ସମ୍ଭାବନା ଉପରେ କେନ୍ଦ୍ର ଦ୍ୱାରା କରାଯାଇଥିବା ଅନୌପଚାରିକ ଆଲୋଚନା ନିର୍ବାଚନ କାର୍ଯ୍ୟସୂଚୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ତେବେ ନିର୍ବାଚନ ତାରିଖ ଘୋଷଣା ହେବାର ଠିକ ପୂର୍ବରୁ ରାଜ୍ୟ ନିର୍ବାଚନ ଆୟୋଗ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କଠାରୁ ଏହି ଚିଠି ପାଇଥିଲେ । ଚିଠିରେ କୁହାଯାଇଛି ଯେ କେନ୍ଦ୍ର ସରକାର ଏହି ତିନିଟି ମ୍ୟୁନିସିପାଲିଟି କର୍ପୋରେସନକୁ ଏକାଠି କରିବାକୁ ଚାହୁଁଛନ୍ତି । ଖୁବ୍ ଶୀଘ୍ର ସଂସଦରେ ଏ ସମ୍ପର୍କରେ ଏକ ବିଲ୍ ଆଗତ ହେବ, ତେଣୁ ବର୍ତ୍ତମାନ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ ।
ରାଜ୍ୟ ନିର୍ବାଚନ କମିଶନର ଏସ.କେ ଶ୍ରୀବାସ୍ତବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେନ୍ଦ୍ର ସରକାର ଏହି ତିନୋଟି ପୌରସଂସ୍ଥାକୁ ଏକାଠି କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାରୁ ଏହି ପରାମର୍ଶ ଗ୍ରହଣ କରିବାକୁ ବାଧ୍ୟ ନୁହେଁ, କିନ୍ତୁ ଯଦି କୌଣସି ଦଳରୁ କୌଣସି ସୂଚନା ଗ୍ରହଣ କରାଯାଇଛି, ତେବେ ଏହାକୁ ବିଚାର କରିବା ଆବଶ୍ୟକ ।
ଏମସିଡି ନିର୍ବାଚନ କାର୍ଯ୍ୟକ୍ରମର ସ୍ଥଗିତାଦେଶ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ଲେଖିଛନ୍ତି ଯେ ବିଜେପି ପରାଜିତ ହୋଇ ରହିଛି । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଆମର ସର୍ଭେରେ ୨୭୨ ଟିରୁ ୨୫୦ ଟି ସିଟ୍ ଆସୁଛି, କିନ୍ତୁ ବର୍ତ୍ତମାନ ୨୬୦ ରୁ ଅଧିକ ସିଟ୍ ଆସିବ ।
