Odia News Portal

ସୁଆଣ୍ଡୋ ଗ୍ରାମରେ ପ୍ରକଳ୍ପ କାର୍ଯ୍ୟର ତଦାରଖ କଲେ ମୁଖ୍ୟ ଶାସନ ସଚିବ

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉତ୍କଳମଣିଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମରେ ୨୫ କୋଟି ଟଙ୍କା ଅନୁଦାନରେ ନିର୍ମାଣ ହେଉଥିବା ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଛନ୍ତି। ଆସନ୍ତା ଜାନୁଆରି ୨୬ ତାରିଖ ଜନରାଜ୍ୟ ଦିବସ ଅବସରରେ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଏହି ଅବସରରେ ମୁଖ୍ୟଶାସନ ସଚିବ ପଟ୍ଟନାୟିକିଆ ଛକ ନିକଟରେ ଥିବା ନିର୍ମାଣାଧୀନ ଅଭ୍ୟର୍ଥନା ଓ ସୂଚନା କେନ୍ଦ୍ର ପରିଦର୍ଶନ କରିଥିଲେ। ଉତ୍କଳମଣିଙ୍କ ଜନ୍ମସ୍ଥାନ ସୁଆଣ୍ଡୋଠାରେ ନିର୍ମାଣାଧୀନ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀଶ୍ରୀ ଲୋକନାଥ ଦେବଙ୍କ ମନ୍ଦିର, ଉତ୍କଳମଣିଙ୍କ ଷଠିଘର, କୁଳଦେବତା ରାଧା ବିନୋଦ ବିହାରୀଙ୍କ ମନ୍ଦିର, ସଂଗ୍ରହାଳୟ, ପ୍ରମୋଦ ଉଦ୍ୟାନ, ପୁଷ୍କରିଣୀ ଓ ଓଡ଼ିଶାର ସର୍ବୋଚ୍ଚ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସ୍ଥଳ ପରିଦର୍ଶନ କରିଥିଲେ। ପରେ ମୁଖ୍ୟ ଶାସନ ସଚିବ ସତ୍ୟବାଦୀ ବକୁଳବନ ପରିସରରେ ନିର୍ମିତ ହେଉଥିବା ଓଡ଼ିଆ ବିଶ୍ବବିଦ୍ୟାଳୟର ପରିଦର୍ଶନ କରିଥିଲେ। ଆସନ୍ତା ଏପ୍ରିଲ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ନେଇ ଟାର୍ଗେଟ ରଖାଯାଇଛି।