Odia News Portal

ଅଭଦ୍ରାମୀ କରି ଜରିମାନା ଦେଲେ ଇକବାଲ

ଦୁବାଇ : ବାଂଲାଦେଶର ଅଧିନାୟକ ତମିମ ଇକବାଲ ଶ୍ରୀଲଙ୍କା ବିପକ୍ଷରେ ଢାକାରେ ଖେଳା ଯାଇଥିବା ବିଶ୍ଵ କପ୍‌ ସୁପର ଲିଗ୍‌ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଆଶାଳୀନ ବ୍ୟବହାର କରିଛନ୍ତି। ତାଙ୍କର ଏହି ଅଭଦ୍ରାମୀ ପାଇଁ ଜରିମାନା ଭାବେ ମ୍ୟାଚ୍‌ ଫିର ୧୫ ପ୍ରତିଶତ କଟାଯାଇଛି।

ଏହି ଘଟଣା ଶୁକ୍ରବାର ବାଂଲାଦେଶ ଇନିଂସର ୧୦ମତ ଓଭରରେ ଘଟିଛି। ଉକ୍ତ ଓଭର ଚାଲିଥିବା ସମୟରେ ତମିମ ଓ୍ଵିକେଟ୍ ପଛରେ କ୍ୟାଚ୍‌ ଉପରେ ନିଜର ଅସଫଳ ସମୀକ୍ଷା ପରେ ଅନୁଚିତ୍ ଭାଷାର ପ୍ରୟୋଗ କରିଥିଲେ। ତମିମ ନିଜ ଭୁଲ୍ ପାଇଁ କ୍ଷମା ମାଗିଛନ୍ତି। ଏଥିପାଇଁ ତାଙ୍କ ବିରୋଧରେ ଆନୁଷ୍ଠାନିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନଥିବା ଆଇସିସି କହିଛି।

ଆଇସିସିର ପ୍ରେସ ବିବୃତି ଅନୁଯାୟୀ, ତମିମ ଖେଳାଳି ଏବଂ ସହଯୋଗୀ ସଦସ୍ୟଙ୍କ ପ୍ରତି ଆଶାଳୀନ ଭାଷା ପ୍ରୟୋଗ କରିଥିବାରୁ ଅନୁଚ୍ଛେଦ ୨.୩ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଜରିମାନା ସହ ତମିମଙ୍କ ଖାତାରେ ଗୋଟିଏ ଡିମେରିଟ୍ ଅଙ୍କ ଯୋଡା ଯାଇଛି। ଯେବେ କୌଣସି ଖେଳାଳି ୨୪ ମାସ ଭିତରେ ଚାରି କିମ୍ବା ସେଥିରୁ ଅଧିକ ଡିମେରିଟ୍ ଅଙ୍କ ପାଏ ତେବେ ତାଙ୍କୁ ନିଲମ୍ବନର ସମ୍ମୁଖୀନ ହେବାକୁ ପଡେ।

ପଡିଆ ଅମ୍ପାୟର ଶରଫୁଦୌଲା ଇବନେ ସାହିଦ ଓ ତନବୀର ଅହମ୍ମଦ, ଟିଭି ଅମ୍ପାୟର ଗାଜି ସୋହେଲ ଓ ଚତୁର୍ଥ ଅଧିକାରୀ ମସୁଦୁର ରହମାନ ତମିମଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହା ପରେ ଆଇସିସି ତମିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ମ୍ୟାଚ୍‌ ଫିର ୧୫ ପ୍ରତିଶତ ଜରିମାନା ଭାବେ ଲଗାଇଛି।