Odia News Portal

ହାଇଦ୍ରାବାଦର ହ୍ୟାଟ୍ରିକ ପରାଜୟ

ବୁମରା-ବୋଲ୍ଟ ପେସ୍ ଯୋଡିଙ୍କ ଚମକରେ ମାତ୍ ଦେଲା ମୁମ୍ବାଇ

ଚେନ୍ନାଇ: ଚେନ୍ନାଇର ଏମ.ଏ. ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୯ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ୧୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ୍ ୧୩୭ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା। ଫଳରେ ୧୩ ରନରେ ହାଇଦ୍ରାବାଦକୁ ମାତ୍ ଦେଇଛି ମୁମ୍ବାଇ। ବୁମରା-ବୋଲ୍ଟ ପେସ୍ ଯୋଡିଙ୍କ ସହ ଚହରଙ୍କ ଚମକରେ ଫିକା ପଡିଛି ହାଇଦ୍ରାବାଦର ବ୍ୟାଟିଂ। ଚଳିତ ଆଇପିଏଲରେ ହାଇଦ୍ରାବାଦ୍ କ୍ରମାଗତ ୩ଟି ମ୍ୟାଚ ହାରିଥିବା ବେଳେ ମୁମ୍ବାଇ ୨ଟି ଜିତିଛି।

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୫୦ ରନ କରିଥିଲା। ଦଳ ପକ୍ଷରୁ ଡିକକ୍‌ ସର୍ବାଧିକ ୪୦ ରନ କରିଥିବା ବେଳେ ପୋଲାର୍ଡ ୨୨ ବଲ୍‌ରୁ ଦ୍ରୁତ ୩୫ ରନର ଅପରାଜିତ ଇନିଂସ ଖେଳିଥିଲେ। ଜବାବରେ ସନରାଇଜର୍ସ   ହାଇଦ୍ରାବାଦ ଓପନରଙ୍କ ୬୭ ରନର ଭାଗିଦାରୀ ସତ୍ତ୍ଵେ ବି ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ଶୋଚନୀୟ ବ୍ୟାଟିଂ କାରଣରୁ ୧୯.୪ ଓଭରରେ ୧୩୭ ରନରେ ଅଲଆଉଟ୍ ହୋଇଛି। ମୁମ୍ବାଇ ପକ୍ଷରୁ ରାହୁଲ ଚହର ପୁଣି ଥରେ ଦମଦାର ବୋଲିଂ କରି ୩ ଓ୍ଵିକେଟ୍ ଏବଂ ଟ୍ରେଣ୍ଟ ବୋଲ୍ଟ ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

୧୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ହାଇଦ୍ରାବାଦର ଦୁଇ ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ଜୋନି ବେୟାରଷ୍ଟୋ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ଦଳକୁ ମଜବୁତ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସନ୍ୟାନ ପ୍ରଥମ ଓ୍ଵିକେଟ୍‌ରେ ୭.୨ ଓଭରରେ ୬୭ ରନ ଯୋଡିଥିଲେ। ଜୋନି ବେୟାରଷ୍ଟୋ ୨୨ ବଲ୍‌ରୁ ୩ ଚୌକା ଓ ୪ ଛକା ସହ ବିସ୍ଫୋରକ ୪୩ ରନର ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏହି ଯୋଡି ଭାଙ୍ଗିବା ପରେ ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ପୁଣି ଥରେ ରାହୁଲ ଚହର ୩ ଓ୍ଵିକେଟ୍ ନେଇ ସନରାଇଜର୍ସ ହାଇଦ୍ରାବାଦର ମଧ୍ୟକ୍ରମର ବିପର୍ଯ୍ୟୟ ଘଟାଇଥିଲେ। ଗୋଟିଏ ପଟେ ଯଶପ୍ରୀତ ବୁମରା ରନ ଗତି ଉପରେ ଅଙ୍କୁଶ ଲଗାଇଥିବା ବେଳେ ଅନ୍ୟ ବୋଲର ଓ୍ଵିକେଟ୍ ନେଇ ମୁମ୍ବାଇକୁ ହାରୁଥିବା ମ୍ୟାଚ୍‌ରେ ବିଜୟୀ କରାଇଥିଲେ। ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ୩୬ ରନ କରିଥିବା ବେଳେ ଶେଷ ଆଡକୁ ବିଜୟ ଶଙ୍କର ୨୮ ରନ କରିଥିଲେ।