Odia News Portal

ଏମିତି ଏକ ଗାଁ ଯେଉଁଠି ଜ୍ୱାଇଁମାନଙ୍କ ପାଇଁ ରହିଛି ସ୍ୱତନ୍ତ୍ର ପରମ୍ପରା

ସାଧାରଣତଃ ଭୌଗୋଳିକ ସ୍ଥିତି, ଐତିହାସିକ ସ୍ଥାନ, କୌଣସି ବଡ଼ ଉପଲବ୍‌ଧି  କିମ୍ବା ଲୋକକଥାର ଚରିତ୍ରଙ୍କ ଅନୁସାରେ ଗାଁଗୁଡ଼ିକର ନାମକରଣ ହେଉଥିବା  ଆପଣମାନେ ଶୁଣିଥିବେ । ହେଲେ ଉତ୍ତରପ୍ରଦେଶରେ ଏଭଳି ଏକ ଗାଁ ରହିଛି ।  ଯାହାର ନାମକରଣ ପଛର କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସେହି  ଗାଁଟି ହେଉଛି ଦମାଦନପୁରବା ।

ସେଠାକାର ଅଧିକାଂଶ ଘରର ଜ୍ୱାଇଁମାନଙ୍କର  ହୋଇଥିବାରୁ ଗାଁର ନାମ ଏଭଳି ରଖାଯାଇଛି । ଦମାଦନପୁରବା କାନପୁର  ଦେହାତର ଆକବରପୁର ତହସିଲ କ୍ଷେତ୍ରରେ ରହିଛି । ସେଠାରେ ଥିବା  ୭୦ଟି ଘର ମଧ୍ୟରୁ ୫୦ଟି ଘର ହେଉଛି ଗାଁର ଜ୍ୱାଇଁମାନଙ୍କର । ସେମାନଙ୍କ  ମଧ୍ୟରୁ ଅଧିକାଂଶ  ନିକଟବର୍ତ୍ତୀ ଗାଁରୁ ଆସି  ସେଠାରେ ରହିଛନ୍ତି ।  ଗାଁର ବୟସ୍କ ଲୋକଙ୍କ  ମୁତାବକ, ୧୯୭୦  ମସିହାରୁ ସେଠାରେ  ଏହି ପରମ୍ପରା ଆରମ୍ଭ  ହୋଇଥିଲା । ଗାଁର ଜଣେ ଝିଅ ରାଜରାଣୀଙ୍କର ବିବାହ ନିକଟବର୍ତ୍ତୀ ଗାଁର  ସାଁବରେ କଠୋରିୟାଙ୍କ ସହ ହୋଇଥିଲା ।

କଠୋରିୟା ପ୍ରଥମରୁ ବି ବିବାହ  ପରେ ଶ୍ୱଶୁରଘରେ ରହିବାକୁ ଲାଗିଲେ । ପରେ ତାଙ୍କର ଜାଗାର ଆବଶ୍ୟକତା  ପଡ଼ିବାରୁ ସେ ସେହି ଗାଁରେ ଜମି କିଣିଲେ । ତା’ ପରଠାରୁ ଧୀରେ ଧୀରେ ଏହି  ପରମ୍ପରା ବଢ଼ିବାକୁ ଲାଗିଲା । ଗାଁର ଅନ୍ୟ ଝିଅମାନେ ମଧ୍ୟ ବିବାହ ପରେ ସ୍ୱାମୀଙ୍କ  ସହ ସେଠାରେ ରହିବାକୁ ଆରମ୍ଭ କଲେ । ଏହାପରେ ଲୋକମାନେ ଗାଁଟିକୁ  ଜ୍ୱାଇଁମାନଙ୍କର ଗାଁ ଭାବେ ଦମାଦନପୁରବା ବୋଲି କହିବାକୁ ଆରମ୍ଭ କଲେ ।  ସରକାରୀ କାଗଜପତ୍ରରେ ବି ଗାଁର ସେହି ନାମକୁ ସ୍ୱୀକୃତି ମିଳିଛି ।