Odia News Portal

ଲାଗାତାର ତିନୋଟି ନିର୍ବାଚନ ହାରିଥିଲେ ମିଳିବ ନାହିଁ ପାର୍ଟି ଟିକେଟ

ଭୁବନେଶ୍ବର () କଂଗ୍ରେସରେ ଏଣିକି ହାରୁ ପାର୍ଟିଙ୍କୁ ମିଳିବନି ଟିକେଟ । ନାସ୍ତିବାଣୀ ଶୁଣାଇ ଦେଇଛନ୍ତି ଏଆଇସିସି ସଭାପତି ରାହୁଲ ଗାନ୍ଧୀ । ଲାଗାତାର ତିନୋଟି ନିର୍ବାଚନ ହାରିଥିଲେ ମିଳିବ ନାହିଁ ପାର୍ଟି ଟିକେଟ । ନିକଟରେ ଏଆଇସିସି ସାଧାରଣ ସଂପାଦକ ଓ ପ୍ରଦେଶ ମୁଖ୍ୟଙ୍କ ସହ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଆଲୋଚନା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେଣୁ ପ୍ରାର୍ଥୀ ଚୟନ ସମୟରେ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀମାନେ ଏହାକୁ ଆଧାର କରି ତାଲିକା ପ୍ରସ୍ତୁତ କରିବେ ।

ପ୍ରାର୍ଥୀ ଚୟନର ଏହି ନୂଆ ଫର୍ମୁଲାକୁ ଓଡିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ନେତାମାନେ ସ୍ବାଗତ କରିଛନ୍ତି । ତିନି ଥର କାହିଁକି ଏକାଧିକ ଥର ନିର୍ବାଚନ ହାରୁଥିବା ନେତାମାନଙ୍କୁ ଆଉ କଂଗ୍ରେସରୁ ନିର୍ବାଚନ ଲଢିବାର ସୁଯୋଗ ଦିଆଯିବା ଉଚିତ ନୁହେଁ ବୋଲି ସେମାନେ ମତ ରଖିଛନ୍ତି । ଦଳର ବରିଷ୍ଠ ନେତାମାନେ ହାଇକମାଣ୍ଡଙ୍କ ଏହି ନିଷ୍ପତ୍ତି ସହ ଏକମତ ହୋଇ କହିଛନ୍ତି ଯେ, ଯେଉଁମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହ ନାହାଁନ୍ତି ସେମାନଙ୍କୁ ଟିକେଟ ଦିଆଯିବା ଉଚିତ ନୁହେଁ । ଯେଉଁମାନେ ବାରମ୍ବାର ହାରୁଛନ୍ତି, ଏହାର ଅର୍ଥ ସେମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହ ନାହାଁନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ।

ଏଆଇସିସି ଏଭଳି ନିଷ୍ପତ୍ତି ଘୋଷଣା କରିବା ପୂର୍ବରୁ ରାଜ୍ୟ ନିର୍ବାଚନ କମିଟି ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରିଛି । ଯେଉଁମାନେ ବାରମ୍ବାର ନିର୍ବାଚନ ହାରୁଛନ୍ତି, ସେମାନଙ୍କୁ ଆଉ ପରୀକ୍ଷା କରାନଯାଇ ଦକ୍ଷ ଓ ପ୍ରତିଭାବାନ ଯୁବକଙ୍କୁ ଏବଂ ମହିଳାମାନଙ୍କୁ ଅଗ୍ରାଧିକାର ଦେବାକୁ ଚିନ୍ତା କରାଯାଇଥିବା କହିଛନ୍ତି ବରିଷ୍ଠ ନେତା ଅନନ୍ତ ସେଠୀ ।