ମୁମ୍ବାଇ : ପୁଣି ଚର୍ଚ୍ଚାରେ ଅଣ୍ଡର ଓ୍ବାଲର୍ଡ ଡନ୍ ଛୋଟା ରାଜନ୍ । ଏକ ହତ୍ୟା ଉଦ୍ୟମ ମାମଲରେ ଛୋଟା ରାଜନକୁ ୧୦ ବର୍ଷର ସଜା ଶୁଣାଇଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ । ୨୦୧୩ ମସିହାରେ ଅଜୟ ଗୋସାଲିୟାଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଏହି ରାୟ ଶୁଣାଇଛନ୍ତି ସିବିଆଇ କୋର୍ଟ । ଏହା ସହିତ ଛୋଟା ରାଜନକୁ କୋର୍ଟ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଶୁଣାଇଛନ୍ତି ।
ସୂଚନାଯୋଗ୍ୟ, ୫୨ ବର୍ଷୀୟ ଅଜୟ ଗୋସଲିଆ ପୂର୍ବରୁ ଜଣେ ବୁକି ଥିଲା । ପରେ ସେ ବିଲଡର ହୋଇଥିଲା । ୨୮ ଅଗଷ୍ଟ ୨୦୧୩ରେ ଏକ ମଲ୍ ବାହାରେ ୩ ଜଣ ବ୍ୟକ୍ତି ତାଙ୍କୁ ଗୁଳିମାଡ କରିଥିଲେ । ଗୁଳିମାଡ ପରେ ଗୁରୁତର ଆହତ ହୋଇଥିଲା ଗୋସଲିୟା । ତେବେ ତଦନ୍ତ ବେଳେ ଏହି ଘଟଣାରେ ଛୋଟା ରାଜନର ହାତ ଥିବା ଜାଣିବାକୁ ପାଇଥିଲା ସିବିଆଇ । ଏହି ମାମଲାରେ, ୨୮ ଅଗଷ୍ଟ ୨୦୧୩ରେ ବଙ୍ଗୁର ନଗର ପୋଲିସ ଷ୍ଟେସନରେ ଆଇପିସି ଧାରା ୩୦୭, ୧୨ ବି, ଧାରା ୩ ଏବଂ ଧାରା ୨୫ ଅନୁଯାୟୀ ଅଭିଯୁକ୍ତମାନଙ୍କ ବିରୋଧରେ FIR ରୁଜୁ ହୋଇଥିଲା । କିଛି ଦିନ ପରେ ଏହି ମାମଲାରେ ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜଡ୍ ଆକ୍ଟ (MCOCA) ଲାଗୁ କରାଯାଇଥିଲା । ପରେ ସ୍ୱତନ୍ତ୍ର ୟୁନିଟ୍ ନଭେମ୍ବର ୨୦୧୩ ରେ ୭ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ।
ଏହି ମାମଲାରେ ୩ ଅଭିଯୁକ୍ତ ପ୍ରକାଶ ନିକମ, ସତୀଶ କାଲିୟା ଏବଂ ଛୋଟା ରାଜନ୍ ଓ୍ବାଣ୍ଟେଡ୍ ଥିଲେ । ପରେ ଜଣେ ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ନିକମ ଏବଂ କାଲିୟାକୁ ଗିରଫ କରିବାକୁ ସକ୍ଷମ ହୋଇଥିଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଛୋଟା ରାଜନ୍କୁ ବାଲୀରୁ ଗିରଫ କରାଯିବା ପରେ ଭାରତ ଅଣାଯାଇଥିଲା ଏବଂ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ୨୦୧୬ ମସିହା ଏପ୍ରିଲ ୨୧ ତାରିଖରେ ଛୋଟା ରାଜନ୍କୁ ହେପାଜତକୁ ନେଇଥିଲା ସିବିଆଇ । ପୂର୍ବରୁ ସାମ୍ବାଦିକ ଜେ. ଡେ. ହତ୍ୟାକାଣ୍ଡ ମାମଲାରେ ଛୋଟା ରାଜନକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।