Odia News Portal

୨୦ ଶିଶୁଙ୍କୁ ବନ୍ଧକ ରଖିଲା ଦୁର୍ବୃତ୍ତ, ଉଦ୍ଧାର ପାଇଁ ପହଞ୍ଚିଲେ କମାଣ୍ଡୋ

ଫରୁକାବାଦ : ଉତ୍ତର ପ୍ରଦେଶର ଫରୁକାବାଦ ଜିଲ୍ଲାରେ ଗୁରୁବାର ଅପରାହ୍ନରୁ ଜଣେ ଦୁର୍ବୃତ୍ତ ୨୦ ଜଣ ଶିଶୁଙ୍କୁ ନିଜ ଘରେ ବନ୍ଧକ କରି ରଖିଛି । ଅଭିଯୁକ୍ତ ଲଗାତାର ସ୍ଥାନୀୟ ବିଧାୟକ ଏବଂ ଅଧିକାରୀଙ୍କୁ ଉକ୍ତ ସ୍ଥାନକୁ ଡାକିବାକୁ ଦାବି କରୁଛି । ଏହି ସମୟରେ ସେ  କବାଟ ପଛ ପଟୁ ବୋମ ଏବଂ ଗୁଳି ମଧ୍ୟ ମଝିରେ ମଝିରେ ଚଲାଉଛି । ଏକ ବୋମ ବିସ୍ଫୋରଣରେ ପାଖରେ ଥିବା କାନ୍ଥ ଭୁଶୁଡ଼ି ଦୁଇ ଜଣ ପୋଲିସକର୍ମୀ ଆହତ ହୋଇଛନ୍ତି ।

ଆଇଜି ମୋହିତ ଅଗ୍ରୱାଲ କହିଛନ୍ତି, ପଣବନ୍ଦୀଙ୍କୁ ଉଦ୍ଧାର କରିବା ଲାଗି ଏଟିଏସ୍‌ କମାଣ୍ଡୋଙ୍କୁ ଡକାଯାଇଛି । ଭତିରୁ କୌଣସି ଦାବି କରାଯାଇ ନାହିଁ । ସୂତ୍ର ଅନୁସାରେ, ଗତ ଏକ ଘଣ୍ଟାରୁ ଗୁଳିଚାଳନା ବନ୍ଦ ରହିଛି । ପ୍ରାପ୍ତ ସୂଚନା ଅନୁସାରେ, ଜିଲ୍ଲାର ମୋହମ୍ମଦାବାଦ ବ୍ଲକରେ କରସିଆ ଗାଁରେ ଅପରଧୀ ସୁଭାଷ ବାଥମର ଘର । ଅଭିଯୋଗ ରହିଛି ଯେ ଦୁଇ ବର୍ଷ ପୂର୍ବେ ସୁଭାଷ ନିଜର ମଉସାଙ୍କୁ ହତ୍ୟା କରିଥିଲା । ପୋଲିସ ତାକୁ ଜେଲ ପଠାଇଥିଲା । ବର୍ଷ ପରେ ସେ ଜାମିନରେ ଆସିଛି । ତାର ୧୦ ବର୍ଷ ଝିଅ ମଧ୍ୟ ରହିଛି ।

ଗୁରୁବାର ଅପରାହ୍ନରେ ଝିଅର ଜନ୍ମ ଦିନ ବାହାନାରେ ସେ ଗାଁର ପିଲାମାନଙ୍କୁ ନିଜ ଘରକୁ ଡାକିଥିଲା । ବନ୍ଧକ ହୋଇଥିବା ସବୁ ଶିଶୁ ୨:୩୦ ସୁଦ୍ଧା ଘରେ ପହଞ୍ଚିଥିଲେ । ଏହାପରେ ସେ ଭିତର ପଟୁ କବାଟ ବନ୍ଦ କରିଥିଲା । ପ୍ରାୟ ୪:୩୦ ମିନିଟରେ ଜଣେ ମହିଳା ନିଜର ପିଲାକୁ ଆଣିବା ପାଇଁ ସୁଭାଷଙ୍କ ଘରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ ଭିତରେ ପିଲାମାନେ ବନ୍ଧକ ଅବସ୍ଥାରେ ଅଛନ୍ତି । ଏହାର ସୂଚନା ତୁରନ୍ତ ପୋଲିସକୁ ଦିଆଗଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ଅପରାଧୀ ସୁଭାଷ ଆଗରେ ସୁରକ୍ଷାକର୍ମୀ ଉପାୟଶୂନ୍ୟ ହୋଇଥିଲେ । ସେ ଘର ଭିତରୁ ଦେଶୀ ବୋମ ଏବଂ ଦେଶୀ ବନ୍ଧୁକକୁ ଫାଏରିଂ କରିବା ଆରମ୍ଭ କରିଥିଲା ।

ବୋମ ବିସ୍ଫୋରଣରେ ଗୋଟିଏ କାନ୍ଥ ମଧ୍ୟ ଭୁଶୁଡ଼ିଛି ଯେଉଁଥିରେ ଚାପି ହୋଇ ଦୁଇ ଜଣ ପୋଲିସକର୍ମୀ ଆହତ ହୋଇଛନ୍ତି । ଏହାରି ମଧ୍ୟରେ ଜଣେ ଗ୍ରାମବାସୀ ଅନୁପମ ଦୁବେ ସୁଭାଷ ସହ କଥା ହେବା ପାଇଁ ପଠାଯାଇଥିଲା । କିଛି ସମୟ ପରେ ସେ ଦୁବେଙ୍କୁ ଗୁଳି ମାରିଥିଲା । ବୁଲେଟ ତାଙ୍କ ଗୋଡ଼ରେ ବାଜିଥିଲା । ମାମଲା ଗମ୍ଭୀର ହେବା ଦେଖି ଜଣେ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସୁଭାଷ ଅଭିଯୋଗ ଲଗାଉଥିଲା ଯେ ସେ ଜେଲରେ ଥିବା ସମୟରେ କିଛି ଲୋକ ତାଙ୍କ ପତ୍ନୀଙ୍କ ସହ ଖରାପ କାମ କରିଥିଲେ । ପୋଲିସ ସେହି ଲୋକମାନଙ୍କୁ ସାମ୍ନାକୁ ଆଣୁ ।