Odia News Portal

ଶପଥ ନେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ରାଜ୍ୟବାସୀଙ୍କ ପାଇଁ କାମ କରିବି : ତିରଥ

ଡେରାଡୁନ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ତିରଥ ସିଂହ ରାଓ୍ବତ । ରାଜ୍ୟପାଳ ବେବିରାଣୀ ମୋର୍ଯ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି ଉତ୍ତରଖାଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାଓ୍ବତ। ଏହା ସହ ପୂର୍ବ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତଙ୍କୁ ବଡ଼ ଭାଇ ବୋଲି କହିଛନ୍ତି ତିରଥ ସିଂହ। ଏବେ ରାଜ୍ୟବାସୀଙ୍କ ପାଇଁ ଦିନ ରାତି ଏକ କରି କାମ କରିବେ ଏବଂ ଲୋକଙ୍କ ଭରସା ଜିତିବେ ବୋଲି ନୂଆ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେପଟେ ତିରଥ ସିଂହଙ୍କ ପାଖରେ ଅନେକ ଚ୍ୟାଲେଞ୍ଜ ରହିଛି। ଏହି ସବୁ ଆହ୍ବାନକୁ ଅତିକ୍ରମ କରିବା ତାଙ୍କ ପାଇଁ କଷ୍ଟକର ସାବ୍ୟସ୍ତ ହୋଇପା​ରେ। ସାଂଦଦ ତଥା ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ତିରଥ ସିଂହ ରାଓ୍ବତଙ୍କ ସାମ୍ନାରେ ସବୁଠୁ ବଡ଼ ଆହ୍ବାନ ହେଉଛି ଉପନିର୍ବାଚନରେ ବିଜୟୀ ହେବା ସହ ବିଧାନସଭାରେ ସଦସ୍ୟତା ପାଇବା ବୋଲି କୁହାଯାଉଛି। ଏହା ପରେ ହିଁ ମୁଖ୍ୟମନ୍ତ୍ରୀ ଚୌକି ରହିପାରିବ। କୁହାଯାଉଛି ସୁରେନ୍ଦ୍ର ସିଂହ ଜୀନାଙ୍କ ନିଧନ ପରେ ଖାଲି ପଡ଼ିଥିବା ସିଟ୍‌ରୁ ସେ ନିର୍ବାଚନ ଲଢ଼ିପାରନ୍ତି।