Odia News Portal

ଇସ୍ତଫା ଦେଲେ ଲକ୍ଷ୍ମୀ ରତନ ଶୁକ୍ଳା

କୋଲକାତା : ମମତା ସରକାରକୁ ଆଉ ଗୋଟିଏ ବଡ ଝଟକା ଲାଗିଛି । ମଙ୍ଗଳବାର ଦିଦିଙ୍କ ସରକାରରେ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଳା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ପଶ୍ଚିମବଙ୍ଗରେ ଖେଳ ମନ୍ତ୍ରୀ ଥିବା ଶୁକ୍ଳା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। କିନ୍ତୁ ଏବେ ବି ମଧ୍ୟ ସେ ଟିଏମସି ବିଧାୟକ ରହିଛନ୍ତି।

ସୂଚନାନୁଯାୟୀ , ମଙ୍ଗଳବାର ମନ୍ତ୍ରୀ ପଦ ସମେତ ହାୱଡ଼ାରେ ଟିଏମସିର ଜିଲ୍ଲା ଅଧ୍ୟକ୍ଷ ପଦରୁ ସେ ଇସ୍ତଫା ଦେଇଛନ୍ତି ଲକ୍ଷ୍ମୀ ରତନ ଶୁକ୍ଳା । ରତନ ଶୁକ୍ଳା ଭାରତ ପାଇଁ ୩ଟି ଦିନିକିଆ ମ୍ୟାଚ ଖେଳିଥିଲେ । ଆଇପିଏଲ୍‌ରେ କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ ଡେୟାରଡେଭିଲ୍ସ ଓ ସନରାଇଜର୍ସ ହାଇଦ୍ରାବଦ ପକ୍ଷରୁ ଖେଳିଥିଲେ। ଗତ ବିଧାନସଭା ନିର୍ବାଚନରେ ରାଜନୀତି ମୈଦାନକୁ ଓହ୍ଲାଇଥିବା ରତନ ଶୁକ୍ଳା ଉତ୍ତର ହାୱଡ଼ାରୁ ବିଧାୟକ ହୋଇଥିଲେ। ପରେ ମମତାଙ୍କ ସରକାରରେ ତାଙ୍କୁ ଖେଳ ମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିଥିଲା।

ଚଳିତବର୍ଷ ଏପ୍ରିଲରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହୋଇପାରେ। ଏହା ପୂର୍ବରୁ ଟିଏମସିକୁ ଲଗାତର ଝଟକା ଉପରେ ଝଟକା ଲାଗୁଥିବା ଦେଖିବାକୁ ମିଳିଛି। ପ୍ରଥମେ ଶୁଭେନ୍ଦୁ ଅଧିକାରୀ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ପାର୍ଟି ଛାଡ଼ିଥିଲେ। ପରେ ବିଜେପିରେ ସାମିଲ ହୋଇଥିଲେ ଶୁଭେନ୍ଦୁ। ଶୁଭେନ୍ଦୁଙ୍କ ପରେ ପରେ ଟିଏମସିର ଅନେକ କାର୍ଯ୍ୟକର୍ତ୍ତା ଓ ବିଧାୟକ ମମତା ବାନାର୍ଜୀଙ୍କ ସରକାର ଛାଡି ‘ପଦ୍ମ’ ଧରିଛନ୍ତି।