ଭୁବନେଶ୍ବର: ଆମ ହିନ୍ଦୁ ଧର୍ମ ଅନେକ ରୀତିନୀତି,ସଂସ୍କୃତି,ପରମ୍ପରା ଆଦିରେ ଭରପୂର ।ନାନା ରୀତିନୀତି,ପରମ୍ପରା ମଧ୍ୟରେ ଆମେ ଆଜି ଆପଣକୁ ଜଣାଇବୁ ଏହିଭଳି ଏକ ରୋଚକ କଥା ଯାହା ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଜାଣି ନଥିବେ। ହିନ୍ଦୁ ପରିବାରରେ ଯେକୌଣସି ଶୁଭ କାର୍ଯ୍ୟ ପୂର୍ବରୁ ଘରର ପ୍ରବେଶ ଦ୍ଵାରରେ ଆମ୍ବ ପତ୍ର ଓ ଫୁଲ ଆଦି ସଜାଯାଇଥାଏ। ତେବେ ପୂଜା ପର୍ବରେ ଆମ୍ବ ଡାଳ ବା ଆମ୍ବ ପତ୍ର କାହିଁକି ବ୍ୟବହାର କରାଯାଏ ସେ ବିଷୟରେ ଆପଣ ଜାଣିଛନ୍ତି କି ? ଏହା ପଛରେ ମଧ୍ୟ ଏକ କାରଣ ରହିଛି ଯେଉଁଥିପାଇଁ ଲୋକେ ଘରର ମୁଖ୍ୟଦ୍ଵାରରେ ଆମ୍ବ ପତ୍ର ସଜେଇଥାନ୍ତି। ଜାଣନ୍ତୁ ଏହା ପଛରେ ଥିବା ଧାର୍ମିକ କାରଣ:-

ହିନ୍ଦୁ ଧର୍ମରେ ବୃକ୍ଷକୁ ଦେବତା ରୂପେ ସମ୍ମାନ ଦିଆଯାଏ। ହିନ୍ଦୁ ଧର୍ମରେ ଅନେକ ବୃକ୍ଷକୁ ପୂଜା କରାଯାଏ। ବୃକ୍ଷକୁ ଅନ୍ନ ଦେବତା ବୋଲି ମଧ୍ୟ କୁହାଯାଏ। ସାଧାରଣତଃ ଆମ୍ବ ପତ୍ର ପୂଜାରେ ବ୍ୟବହାର ହୋଇଥାଏ। ଏପରିକି ପୂଜା ସମୟରେ ଘରେ ଯେଉଁ କଳସ ସ୍ଥାପନା କରାଯାଏ ସେଥିରେ ମଧ୍ୟ ଆମ୍ବ ପତ୍ର ବ୍ୟବହାର କରାଯାଏ। ଏପରିକି ବିବାହ ମଣ୍ଡପରେ ମଧ୍ୟ ଆମ୍ବ ପତ୍ର ସଜାଯାଇଥାଏ। ତମାମ ଶୁଭ କାର୍ଯ୍ୟରେ ଆମ୍ବ ପତ୍ର ବ୍ୟବହାର ହୋଇଥାଏ। ନବଜାତ ଶିଶୁର ନାମକରଣ ଉତ୍ସବରେ ମଧ୍ୟ ଆମ୍ବ ପତ୍ର ବ୍ୟବହାର ହୋଇଥାଏ। ଅନେକ ଧାର୍ମିକ କାର୍ଯ୍ୟ ଓ ମାଙ୍ଗଳିକ କାର୍ଯ୍ୟରେ ଆମ୍ବ ପତ୍ର ବ୍ୟବହାର ହୋଇଥାଏ। ଧାର୍ମିକ ବିଶ୍ୱାସ ଅନୁସାରେ ଆମ୍ବ ପତ୍ରକୁ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ବସ୍ତୁ ବୋଲି କୁହାଯାଏ। ସେଥିପାଇଁ ଯେଉଁଠାରେ ଆମ୍ବ ପତ୍ର ବ୍ୟବହାର ହୋଇଥାଏ ସେଠାରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ ବୋଲି ବିଶ୍ୱାସ ରହିଛି।

ଏହା ବ୍ୟତୀତ ଆମ୍ବପତ୍ର କିମ୍ବା ଡାଳ ଅତ୍ୟନ୍ତ ଶୁଭ ହୋଇଥାଏ । ଆମ୍ବପତ୍ରକୁ ତୋରଣ କରି ମୁଖ୍ୟ ଦ୍ଵାର ସାମ୍ନାରେ ଲଗାଇବା ଦ୍ଵାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରି ନଥାଏ ।ଘରେ ବାତାବରଣ ଶୁଦ୍ଧ ହୋଇଥାଏ ଓ ସକାରାତ୍ମକ ଶକ୍ତି ବଢିଥାଏ।ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ଫଳରେ ଘରୁ କଳହ ଓ ନକାରାତ୍ମକ ଭାବନା ଦୂର ହୋଇଥାଏ। ଏହାସହ ଘରର ମୁଖ୍ୟଦ୍ଵାରରେ ଆମ୍ବ ପତ୍ର ଲଗାଇବା ଦ୍ଵାରା ବିନା ବିଘ୍ନରେ ସମସ୍ତ ମାଙ୍ଗଳିକ କାର୍ଯ୍ୟ ପୁରା ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି।

ହିନ୍ଦୁ ଧର୍ମରେ ଆଉ ଏକ ବିଶ୍ୱାସ ମଧ୍ୟ ରହିଛି। ଆମ୍ବପତ୍ର ଭଗବାନଙ୍କର ପ୍ରତୀକ ହୋଇଥାଏ । କଳସରେ ଆମ୍ବପତ୍ର ଏବଂ ନଡ଼ିଆ ଥୋଇ ପୂଜା କରିବା ଦ୍ୱାରା ଘରର ସମସ୍ତ ବିଘ୍ନ ଦୂର ହୋଇଥାଏ । କାରଣ ତାହା ଆଦ୍ୟ ପୂଜ୍ୟ ଗଣପତିଙ୍କ ରୂପେ ପୂଜା ପାଇଥାଏ । ପୂଜାରେ ଆମ୍ବ ଡାଳ କିମ୍ବା ପତ୍ର ବ୍ୟବହାର କରିବା ଦ୍ଵାରା ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ଅସୀମ କୃପା ପ୍ରାପ୍ତି ହୋଇଥାଏ । ତେବେ ବୈଜ୍ଞାନିକ ଧାରଣା ଅନୁଯାୟୀ ଆମ୍ବ ପତ୍ର ବା ଆମ୍ବଡ଼ାଳ ଅତ୍ୟଧିକ ମାତ୍ରାରେ ବାୟୁମଣ୍ଡଳ ରୁ କାର୍ବନ ଡାଇଓକ୍ସାଇଡ ଶୋଷି ନେଇ ଅମ୍ଳଜାନ ପ୍ରଦାନ କରିଥାଏ । ତେଣୁ ଅଧିକ ଗହଳି ହୋଇଥିବା ସ୍ଥାନରେ ଆମ୍ବ ପତ୍ର ବା ଆମ୍ବଡ଼ାଳ ବ୍ୟବହାର ହୋଇଥାଏ ।
