Odia News Portal

ନିଲାମ ହେବ ବିଶ୍ୱର ସବୁଠାରୁ ବଡ ମଦ ବୋତଲ

ଚଳିତ ମାସ ନିଲାମ ହେବ ବିଶ୍ୱର ସର୍ବବୃହତ ସ୍କଚ୍ ହ୍ୱିସ୍କି ବୋତଲ । ୩୧୧ ଲିଟର ହ୍ୱିସ୍କି ଧାରଣ କ୍ଷମତା ଏହାର ରହିଛି । ଏଇଟି ୩୨ ବର୍ଷ ପୁରୁଣା ମ୍ୟାକାଲାନ୍ ହ୍ୱିସ୍କି । ବୋତଲଟି ଇଣ୍ଟ୍ରିପିଡ୍ ନାମରେ ପରିଚିତି । ଏହାର ଉଚ୍ଚତା ୫.୧୧ ଫୁଟ । ଆସନ୍ତା ମାସ ୨୫ ତାରିଖରେ ଏଡିନ୍ବର୍ଗ ସ୍ଥିତ ନିଲାମ ଘର ଲିଅନ୍ ଆଣ୍ଡ ଟର୍ନବୁଲ୍ରେ ଏହାର ନିଲାମ ହେବ । ୪୪୪ଟି ସାଧାରଣ ହ୍ୱିସ୍କି ବୋତଲ ସହ ଏହା ସମାନ । ଏପର୍ଯ୍ୟନ୍ତ ବିକ୍ରି ହୋଇଥିବା ସବୁଠୁ ମହଙ୍ଗା ହ୍ୱିସ୍କି ବୋତଲର ବିଶ୍ୱ ରେକର୍ଡ ଏହା ଭାଙ୍ଗିବ ବୋଲି ଆଶା କରାଯାଉଛି ।
ଏବେ ନିଲାମ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ନିଲାମରେ ହ୍ୱିସ୍କିର ୧.୩ ମିଲିଅନ୍ ପାଉଣ୍ଡରୁ ଯାହା ଅଧିକ ମୂଲ୍ୟ ହେବ, ତା’ର ୨୫ ପ୍ରତିଶତ ଅର୍ଥ ମ୍ୟାରି କ୍ୟୁରି ଦାତବ୍ୟ ସଂସ୍ଥାକୁ ଦାନ କରାଯିବ । କଲିନ୍ ଫ୍ରାଷ୍ଟର୍ ଏହି ନିଲାମର ନେତୃତ୍ୱ ନେବେ । ସେ କହିଛନ୍ତି, ଇଣ୍ଟ୍ରିପିଡ୍ ନାମକ ଏହି ହ୍ୱିସ୍କିର ନିଲାମରେ ବିଶ୍ୱସ୍ତରରେ ନାଲାମକାରୀଙ୍କ ବଡ଼ ରୁଚି ରହିବ ବୋଲି ଆଶା କରାଯାଉଛି ।