ଚୀନ୍ର ୱୁହାନ ସହର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି ଲ୍ୟାବ୍ କରୋନା ଭାଇରସ ଲିକ୍ ହୋଇଥିବା ସମ୍ପର୍କରେ ଆମେରିକାର ଗୁଇନ୍ଦା ସଂସ୍ଥା ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରିଛନ୍ତି । ସେମାନେ ଖୁବଶୀଘ୍ର ଏନେଇ ଏକ ରିପୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦେବେ । ତା’ ପରେ ଚୀନ୍ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେନେଇ ରାଷ୍ଟ୍ରପତି ଟ୍ରମ୍ପ ବିଚାର କରିବେ ।
ଆମେରିକାର ଗୁଇନ୍ଦା ସଂସ୍ଥା ମନେ କରୁଛନ୍ତି କି ଉକ୍ତ ଲ୍ୟାବ୍ରେ ଇଂଟର୍ଣ୍ଣ ଭାବେ କାମ କରୁଥିବା ଜଣେ ଯୁବତୀ କରୋନା ଭାଇରସ ଉପରେ ପରୀକ୍ଷାନିରୀକ୍ଷା କରୁଥିଲାବଳେ ତା’ ଦ୍ୱାରା ସଂକ୍ରମିତ ହୋଇଥିଲେ । ତା’ ପରେ ସେ ନିଜର କିଛି ସହକର୍ମୀ ଏବଂ ପରେ ଲାବ୍ ଠାରୁ କିଛି ଦୂରରେ ଥିବା ମାଛ ବଜାରକୁ ଯାଇ ଆଉ କିଛି ଲୋକଙ୍କୁ ସଂକ୍ରମିତ କରିଥିଲେ । ଏହିପରି ଭାବେ କରୋନା ଭାଇରସ ବ୍ୟାପିବା ଆରମ୍ଭ ହୋଇଥିଲା । ସେମାନେ କହିଛନ୍ତି ଯେ ଭାଇରସର ଜିନ୍ଗତ ସଂରଚନାର ବିଶ୍ଲେଷଣରୁ ତାହା ପ୍ରାକୃତିକ ବୋଲି ଜଣାପଡିଛି । ଏହା ବାଦୁଡି ଦେହରୁ ମଣିଷ ପାଖକୁ ଆସିଛି । ତେଣୁ ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପ୍ରୟୋଗ କରିଥିବା ଅଭିଯୋଗ ସତ୍ୟ ନୁହେଁ ବୋଲି ସେମାନେ ନିଶ୍ଚିତ ହୋଇଛନ୍ତି ।