Odia News Portal

ଯୋଗୀଙ୍କ ଇସ୍ତଫା ଦାବି କଲେ ପ୍ରିୟଙ୍କା

ନୂଆଦିଲ୍ଲୀ () ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଗତକାଲି ମୃତ୍ୟୁ ହେବା ପରେ ତାକୁ ନେଇ ରାଜନୈତିକ ଝଡ଼ ଆରମ୍ଭ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ପୀଡ଼ିତାଙ୍କ ଘର ଲୋକଙ୍କ ଅନୁମତି ନ ନେଇ ପୋଲିସ୍ ଉପସ୍ଥିତିରେ ହିଁ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ମାମଲାକୁ ନେଇ ଏବେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ।

ପ୍ରିୟଙ୍କା ଗାନ୍ଧି ତାଙ୍କ ଟ୍ବିଟରେ ଲେଖିଛନ୍ତି ‘‘ରାତି ୨.୩୦ରେ ପୀଡ଼ିତାଙ୍କ ପରିବାର ଲୋକ ବିକଳ ହୋଇ କାନ୍ଦୁଥିଲେ, କିନ୍ତୁ ଉତ୍ତରପ୍ରଦେଶ ପ୍ରଶାସନ ଜବରଦସ୍ତି ତାଙ୍କ ମୃତ ଦେହ ଜାଳିଦେଲା। ଯେତେବେଳେ ସେ ଜୀବିତ ଥିଲେ ସେତେବେଳେ ସରକାର ତାଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ। ତାଙ୍କ ଉପରେ ଆକ୍ରମଣ ହେବା ପରେ ତାଙ୍କୁ ଠିକ୍ ସମୟରେ ଚିକିତ୍ସା ସେବା ଯୋଗାଇ ପାରିଲେ ନାହିଁ। ପୀଡ଼ିତାଙ୍କ ମୃତ୍ୟୁ ପରେ ସରକାର ଘର ଲୋକଙ୍କଠାରୁ ଝିଅର ଅନ୍ତିମ ସଂସ୍କାର ଅଧିକାର ଛଡ଼ାଇ ନେଲେ ଓ ମୃତକଙ୍କୁ ସମ୍ମାନ ମଧ୍ୟ ଦେଲେ ନାହିଁ। ଅତ୍ୟନ୍ତ ଅମାନବୀୟ। ଆପଣ ଅପରାଧ ରୋକି ନାହାନ୍ତି ବରଂ ଅପରାଧୀଙ୍କ ଭଳି ବ୍ୟବହାର କରିଛନ୍ତି। ଅତ୍ୟାଚାର ନ ରୋକି ନୀରିହ କୋମଳ ଝିଅ ଓ ତାର ପରିବାର ଉପରେ ଦ୍ବିଗୁଣା ଅତ୍ୟାଚାର କରିଛନ୍ତି। ଯୋଗୀ ଆଦିତ୍ୟନାଥ ଇସ୍ତଫା ଦିଅନ୍ତୁ। ଆପଣଙ୍କ ଶାସନରେ ନ୍ୟାୟ ନୁହେଁ, କେବଳ ଅନ୍ୟାୟ ହିଁ ଚାଲେ।’’

 

ତେବେ ଏହି ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ୩ ଜଣିଆ ଏସଆଇଟି ଗଠନ କରିଛନ୍ତି । ଆସନ୍ତା ୭ ଦିନ ଭିତରେ ସବିଶେଷ ରିପୋର୍ଟ ଦାଖଲ ପାଇଁ ଯୋଗୀ ଆଦିତ୍ୟନାଥ ଏସଆଇଟିକୁ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ଫାଷ୍ଟ ଟ୍ରାକ କୋର୍ଟରେ ଏହି ମାମଲାର ଶୁଣାଣି ପାଇଁ ସେ ନିଦେ୍ର୍ଧଶ ଦେଇଛନ୍ତି ।

ସୂଚନା ଅନୁସାରେ ସେପ୍ଟେମ୍ବର ୧୪ରେ ଯୁବତୀଙ୍କ ସହ ୪ ଜଣ ଗଣଦୁଷ୍କର୍ମ କରିଥିଲେ । ତେବେ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତୁ୍ୟ ପରେ ଦେଶବ୍ୟାପୀ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।