Odia News Portal

କ୍ୟାପ୍‌ସୁଲରେ ତିଆରି ହେଲା ଦୁର୍ଗା ମୂର୍ତ୍ତି

ବେଶ କିଛି ବର୍ଷ ଧରି ନୂଆ ନୂଆ ବିଷୟ ଆଧାରିତ ପେଣ୍ଡାଲ ଓ ଦୁର୍ଗା ମୂର୍ତ୍ତି ଦୁର୍ଗା ପୂଜାର ମୁଖ୍ୟ ଅଂଶ ହୋଇଛି । ଚଳିତ ବର୍ଷ ଅନେକ ଦୁର୍ଗା ପୂଜା ପେଣ୍ଡାଲ କରୋନା ଭାଇରସ୍‌ ବିଷୟ ଉପରେ ପ୍ରସ୍ତୁତ ହୋଇଛି । ଏହି କ୍ରମରେ ଆସାମର ଧୁବ୍ରି ସ୍ଥିତ ଜଣେ କଳାକାର ମେଡିକାଲ ବର୍ଜ୍ୟ ସାହାଯ୍ୟରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରି ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ହେଉଛନ୍ତି ସଞ୍ଜୀବ ବାସକ । ଏହି ଦୁର୍ଗା ମୂର୍ତ୍ତି ନିର୍ମାଣ ନିମନ୍ତେ ସେ ୩୦ ହଜାରରୁ ଅଧିକ କ୍ୟାପ୍‌ସୁଲ ଓ ସିରିଞ୍ଜ ବ୍ୟବହାର କରିଛନ୍ତି । ଏହି ମେଡିକାଲ ବର୍ଜ୍ୟରେ ଦୁର୍ଗା ମୂର୍ତ୍ତି ନିର୍ମାଣ ନିମନ୍ତେ ତାଙ୍କୁ ପ୍ରାୟ ୨ ମାସ ସମୟ ଲାଗିଥିଲା ।

ଗତ ବର୍ଷ ବାସକ ଦିଆସିଲି କାଠି ଓ ତାର ଭଳି ବର୍ଜ୍ୟ ବସ୍ତୁରୁ ଦୁର୍ଗା ମୂର୍ତ୍ତି ନିର୍ମାଣ କରିଥିଲେ। ଧୁବ୍ରିର ବିପର୍ଯୟ ପ୍ରବନ୍ଧନ ବିଭାଗରେ ବାସକ କାର୍ଯ୍ୟରତ। ଔଷଧଗୁଡ଼ିକର ବ୍ୟବହାର ଅବଧି ଶେଷ ହେବା ପରେ ମେଡିକାଲ ଷ୍ଟୋରଗୁଡ଼ିକ ସେଗୁଡ଼ିକୁ ଫିଙ୍ଗିଦେଉଥିବା ସେ ଥରେ ଲକ୍ଷ୍ୟ କଲେ । ଅନେକ ସମୟରେ ଔଷଧ ଦୋକାନୀମାନେ ଏକ୍ସପାଏରି ଅବଧି ଅତିକ୍ରମ କରିଥିବା ଔଷକ୍ଷଗୁଡ଼ିକୁ କମ୍ପାନିକୁ ଫେରାଇ ଦିଅନ୍ତି । ଏଥର କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ସେମାନେ ଔଷଧ ଫେରାଇ ପାରିନଥିଲେ । ତେଣୁ ଏକ୍ସପାଏରି ଅବଧି ଅତିକ୍ରମ କରିଥିବା ପ୍ରଚୁର ପରିମାଣରେ ଔଷଧ ସେମାନଙ୍କୁ ଫିଙ୍ଗିବାକୁ ପଡ଼ିଲା ।

ଏହା ଦେଖି ବାସକ ଚଳିତ ବର୍ଷ ଦୁର୍ଗା ପୂଜା ଅବସରରେ ଉକ୍ତ ଔଷଧ ଓ ସିରିଞ୍ଜଗୁଡ଼ିକ ସାହାଯ୍ୟରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ । ମେଡିକାଲ ବର୍ଜ୍ୟରୁ ତାଙ୍କ ଦ୍ୱାରା ପ୍ରସ୍ତୁତ ଦୁର୍ଗା ମୂର୍ତ୍ତି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।