Odia News Portal

ଅରୁପ ପଟ୍ଟନାୟକଙ୍କୁ ପଛରୁ ଛୁରୀ ମାରିଛନ୍ତି ଚଣ୍ଡାଶୋକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତା ଓ ବିଜୁ ଜନତାଦଳ ସପକ୍ଷରେ ସର୍ବଧିକ ଭୋଟ ଥିବାବେଳେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅରୁପ ପଟ୍ଟନାୟକ ହାରିଲେ କାହିଁକି ? ଏହା ଏବେ ବି ରାଜ୍ୟବାସୀ ଓ ବିଜେଡି ପ୍ରେମୀଙ୍କ ପାଇଁ କୋଟିଏ ଟଙ୍କାର ପ୍ରଶ୍ନ ହୋଇ ରହିଛି । ଏବେ ବି ଦଳୀୟ କର୍ମୀ ଏହାର ଉତ୍ତର ଖୋଜୁଛନ୍ତି । ତେବେ ଯେଉଁ ସର୍ବଶେଷ ଉତ୍ତରଟି ଆଲୋଚନା ମାଧ୍ୟମରେ ଆସିଛି ତାହା ଚମକାଇ ଦେଲାଭଳି । ଅରୁପଙ୍କ ଭଳି ଜଣେ ହେବିୱେଟ ପ୍ରାର୍ଥୀଙ୍କ ହରାଇବା ପଛରେ ରହିଛନ୍ତି ନିଜ ଦଳର ଚଣ୍ଡାଶୋକ ।

ନିଜର ସମ୍ପତ୍ତି ବୃଦ୍ଧିର ଲାଳସା ଓ ମନ୍ତ୍ରୀ ହେବାର ଅଭିଳାସ ଯୋଗୁଁ ଚଣ୍ଡାଶୋକ ପଛରୁ ଛୁରୀ ମାରିଥିବା ନେଇ ଦଳୀୟ ମହଲରେ ଆଲୋଚନା ହେଉଛି । ଅରୁପଙ୍କ ନାମ ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ଘୋଷଣା କରିବାପରେ ସମସ୍ତେ ଭାବିଥିଲେ ଅରୁପ ସହଜରେ ଜିଣିଯିବେ । କାରଣ ତାଙ୍କ ବିରୁଦ୍ଧରେ ଗୋଟିଏ ହେଲେ ବି ଅଭିଯୋଗ ନଥିଲା । ବିଜୁ ଯୁବ ବାହିନୀର ମଙ୍ଗ ଧରିଥିବାରୁ ତାଙ୍କ ସପକ୍ଷରେ ଦଳର ଛାମୁଆ ସଂଗଠନ ଥିଲା । ମୁମ୍ବାଇ ଭଳି ମହାନଗରୀର ଜଣେ ସଫଳ ପୁଲିସ୍‍ କମିଶନର ଭାବେ ତାଙ୍କ ସୁଖ୍ୟାତି ବି ରହିଛି ।

ଏହାବାଦ୍‍ ଦଳର ବହୁ ବିଧାୟକ ପ୍ରାର୍ଥୀ ବି ଅରୁପଙ୍କ ଭାବମୂର୍ତ୍ତିକୁ ପାଥେୟ କରି ଆଗକୁ ବଢିଥିଲେ । ହେଲେ ଏତେସବୁ ପରେ ବିଜେପିର ଅପରାଜିତା ବାଜି ମାରିନେଲେ । ଭୁବନେଶ୍ୱର ଲୋକସଭା ଆସନ ଅର୍ନ୍ତଗତ ୭ଟି ବିଧାନସଭା ଆସନ ମଧ୍ୟରୁ କେବଳ ଜଟଣୀରେ କଂଗ୍ରେସ ପ୍ରାର୍ଥୀ ସୁର ରାଉତରାୟ ଜିଣିଛନ୍ତି । ଅନ୍ୟ ୬ଟି ଯାଇଛି ବିଜେଡି ହାତକୁ । ରାଜଧାନୀର ୩ଟି ଯାକ ଆସନ ବି ବିଜେଡି ହାତେଇଛି । ତେବେ ରାଜଧାନୀରେ ଅରୁପ ସେଭଳି ଭୋଟ ପାଇଲେନାହିଁ କାହିଁକି ?

ଏହାର ଉତ୍ତର ଦେବାକୁ ଯାଇ କିଛି ଦଳୀୟ କର୍ମୀ ଚଣ୍ଡାଶୋକଙ୍କୁ ଦାୟୀ କରିଛନ୍ତି । କାଳେ ଅରୁପ ଜିଣିଲେ ତାଙ୍କ ପ୍ରତିପତ୍ତି କମିଯିବ ସେଥିପାଇଁ ସେ ଭିତରେ ଭିତରେ ଚେରକଟା କାମରେ ବ୍ୟସ୍ତ ରହିଲେ । ଆଉ ସେଥିରେ ସଫଳ ବି ହେଲେ । ବିଜେପି ସହିତ ଭିତିରିଆ ହାତ ମିଳାଇ କେବଳ ଅରୁପଙ୍କୁ ନୁହେଁ ଆଉଜଣେ ବିଧାୟକ ପ୍ରାର୍ଥୀଙ୍କୁ ମଧ୍ୟ ରାସ୍ତାରୁ ହଟାଇ ଦେବାପାଇଁ ସବୁ ପ୍ରକାର ଗୋଛିକଟା କାର୍ଯ୍ୟ କରିଥିଲେ । ହେଲେ ନିଜର ସୌଭାଗ୍ୟ ହେଉ କିମ୍ବା ଚତୁରତା ଯୋଗୁଁ ଏହି ଅଭିଜ୍ଞ ବିଧାୟକପ୍ରାର୍ଥୀ ଜଣଙ୍କ କୌଣସି ପ୍ରକାରେ ଉଦ୍ଧାର ପାଇଯାଇଛନ୍ତି । ନିର୍ବାଚନ ସମୟରେ ଏହି ବିଧାୟକ ପ୍ରାର୍ଥୀଙ୍କ ବିରୁଦ୍ଧରେ ଗଣମାଧ୍ୟମରେ ଯେତେସବୁ ବିରୋଧି ଖବର ପ୍ରକାଶ ପାଉଥିଲା ତାହାକୁ କୁଆଡେ ଚଣ୍ଡାଶୋକଙ୍କ ଅନୁଚରମାନେ ହିଁ କରାଉଥିବା ଏବେ ଧିରେ ଧିରେ ପଦାକୁ ଆସିଛି ।

ନିଜ ଦଳର ପ୍ରାର୍ଥୀଙ୍କୁ ହରାଇ ବିଜେପି ପ୍ରାର୍ଥୀଙ୍କୁ ଜିଣାଇବା ଲାଗି ଦିନ ରାତି ଲାଗି ପଡିଥିବା ଚଣ୍ଡାଶୋକଙ୍କୁ ବି ବିଜେପି ଖୁସିକରି ଦେଇଛି । ନିର୍ବାଚନ ଝାମେଲା ଭିତରେ ତେଲ ଟାଙ୍କିଟିଏ ଉପହାର ସ୍ୱରୂପ ଦେଇଥିବାବେଳେ କିଛି ଜମିକିଣା କାରବାରରେ ସହାୟତା କରିଛି । ତେବେ ଲୋକସଭା ନିର୍ବାଚନରେ କୌଣସି କାରଣ ନଥାଇ ହାରି ଯାଇଥିବା ଅରୁପ ଏ ସଂକ୍ରାନ୍ତରେ ଦଳପତିଙ୍କୁ ଫେରାଦ ହୋଇଥିଲେ ବି କୌଣସି କାରଣ ଯୋଗୁଁ ସେତେବେଳେ ଚଣ୍ଡାଶୋକ ବର୍ତ୍ତି ଯାଇଥିଲେ ।

ହେଲେ ଏବେ କିନ୍ତୁ କର୍ମୀମାନେ ଧିରେ ଧିରେ ସବୁ ବୁଝିଲେଣି । ନିର୍ବାଚନ ସମୟରେ ଏତେସବୁ ଗୋଚ୍ଛିକଟା କାର୍ଯ୍ୟପାଇଁ କେଉଁଠୁ ବୁଦ୍ଧି ଆସୁଥିଲା ତାହାର ସୂଚନା ପାଇବାପରେ ଏବେ ଚଣ୍ଡାଶୋକଙ୍କୁ ଚଣ୍ଡାଳ କରିବାପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଥିବା ସୂଚନା ମିଳୁଛି ।

 ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )