Odia News Portal

ପ୍ରଣବ ଓ କିଶୋରଙ୍କୁ ସାବାସୀ

ଭୁବନେଶ୍ବର () ସୁରଟ ଓଡିଆ ସମ୍ମିଳନୀର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଓ କିଶୋର ତରାଇଙ୍କୁ ସାବାସୀ ଦେଇଛନ୍ତି । ସୁରଟରେ ଓଡିଆ ସମ୍ମିଳନୀରେ ଗତ 17 ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ସୁରଟରେ ପ୍ରାୟ 7 ଲକ୍ଷ ଓଡିଆ କାମ କରୁଛନ୍ତି । ସେମାନଙ୍କ ଦ୍ବାରା ଆୟୋଜିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେବା ରାଜନୈତିକ ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା ।

ଏମିତି ବି ଯେଉଁଦିନ ମୁଖ୍ୟମନ୍ତ୍ରୀ ସୁରଟ ବାହାରିଛନ୍ତି ସେହିଦିନ ପୂର୍ବାହ୍ନରେ ଗୁଜୁରାଜ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଆସିଛନ୍ତି । ବିଜେପି ନେତୃତ୍ବାଧୀନ ଗୁଜୁରାଟରେ ସଫଳତାର ସହ ଓଡିଆ ସମ୍ମିଳନୀର ଆୟୋଜନ ଏବଂ ପ୍ରାୟ 1 ଲକ୍ଷରୁ ଅଧିକ ଓଡିଆ ଏଥିରେ ସାମିଲ ହେବା କିଛି ଛୋଟ କଥା ନୁହେଁ ।

ସୁରଟରେ କାମ କରୁଥିବା 7 ଲକ୍ଷ ଓଡିଆଙ୍କ ମଧ୍ୟରୁ ସର୍ବାଧିକ ଗଂଜାମ ଏବଂ କେନ୍ଦ୍ରାପଡା ଜିଲ୍ଲାର । ସେମାନେ ଗୁଜୁରାଟର ଭିନ୍ନ ସୁତା କଳରେ କାମ କରୁଛନ୍ତି । ଏହିସବୁ ପ୍ରବାସୀ ଓଡିଆଙ୍କୁ ଏକାଠି କରିବା ଗୁଜୁରାଟରେ ନେତୃତ୍ବାଧୀନ ବିଜେପି ସରକାରଙ୍କୁ ଚ୍ୟାଲେଂଜ କଲାଭଳି କାର୍ଯ୍ୟକ୍ରମର ଆୟୋଜନ ଦାୟିତ୍ବ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ କିଶୋର ତରାଇଙ୍କୁ ଦିଆଯାଇଥିଲା ।

ଏହି ଦୁଇ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଗଂଜାମ ଜିଲ୍ଲାର ସବୁ ବିଧାୟକ ଓ ମନ୍ତ୍ରୀଙ୍କ ସହ ସୁରଟରେ ଡେରା ପକାଇଥିଲେ । ଗୁଜୁରାଟ ଓ ସୁରଟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟରେ ନିୟୋଜିତ ଲୋକଙ୍କୁ ଭେଟି ସେମାନଙ୍କୁ ଏହି ସମ୍ମିଳନୀରେ ସାମିଲ କରାଇଥିଲେ । ସବୁଠାରୁ ବଡ କଥା ହେଉଛି, ବିଜେପି ଏହି କାର୍ଯ୍ୟକ୍ରମକୁ ରାଜନୈତିକ ଦୃଷ୍ଟିରୁ ଭଣ୍ଡୁର କରିବାକୁ ଯୋଜନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଗୁଜରାଟ ମାଟିରେ ନିଜର ଶକ୍ତି ପ୍ରଦର୍ଶନ କଲେ । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓଡିଶା ମାଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କିନ୍ତୁ ସୌଜନ୍ୟତାର ସୀମା ମଧ୍ୟରେ ରହି ତାଙ୍କୁ ନିଜ ଲୋକପ୍ରିୟତାର ପ୍ରମାଣ ଦେଇଥିଲେ । ରାଜନୈତିକ ଦୃଷ୍ଟିରୁ ନବୀନଙ୍କୁ ମିଳିଥିବା ଏହି ସଫଳତା ପାଇଁ ସେ ଏହି ଦୁଇ ବିଧାୟକଙ୍କୁ ସାବାସୀ ଦେଇଥିବା ଶୁଣିବାକୁ ମିଳୁଛି ।