Odia News Portal

ସୁର ରାଉତରାୟଙ୍କ ସହ କଥା ହେଲା ରୋବୋଟ

ଭୁବନେଶ୍ୱର()  ମାଡାମଙ୍କ ହାତରନ୍ଧା କେଉଁ ଖାଦ୍ୟ ଆପଣଙ୍କୁ ଭଲ ଲାଗେ? ମୋତେ ସନ୍ତୁଳା, ଚୁନା ମାଛ, ଦେଶୀ ଚିକେନ, ମଟନ ଓ ଉଷୁନା ଭାତ ଭଲ ଲାଗେ । ଆପଣ ଲକଡାଉନରେ ମାଡାମଙ୍କୁ ରୋଷେଇରେ ସାହାଯ୍ୟ କରିଥିଲେ କି? ନା । ଆପଣ ନବୀନ ବାବୁଙ୍କୁ ଟିକେ ଆମ ରେସ୍ତୋରାଁକୁ ଆଣି ଖୁଆଇବେ କି? ହଁ । ବିଧାୟକ ସୁର ରାଉତରାୟଙ୍କ ସହ ଏଭଳି ଦୁଃଖସୁଖ ହେବା ସହ ତାଙ୍କ ମନ ପସନ୍ଦର ଖାଦ୍ୟ ପରଷି ଦେଇଥିଲେ ଚମ୍ପା ଓ ଚାମେଲି । ମଣିଷ ନୁହେଁ, ବରଂ ରୋବୋଙ୍କ ସହ ଶ୍ରୀ ରାଉତରାୟଙ୍କ ସହ ହୋଇଥିଲା ଏହି ବାର୍ତ୍ତାଳାପ । ପଟିଆସ୍ଥିତ ଡିଏଲଏଫ ଟାୱାରରେ ଥିବା ରୋବୋ ସେଫରେ ଦେଖିବାକୁ ମିଳିଥିଲା ଏପରି ଏକ ନିଆରା ପରିବେଶ । ହାଇଦ୍ରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁ ପରେ ପୂର୍ବ ଭାରତରେ ଭୁବନେଶ୍ୱରରେ ଏଭଳି ଏକ ରୋବୋ ରେସ୍ତୋରାଁ ଆକର୍ଷଣ ସାଜିଛି । ରୋବୋରେ ରାଡାର ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ରୋବୋ ଟେବୁଲ ନିକଟକୁ ଆସି ମେନୁ୍ୟ ପଚାରୁଥିବା ବେଳେ ଗ୍ରାହକମାନେ ବରାଦ ଦେଉଥିବା ଖାଦ୍ୟର ନାଁ କହିବା ମାତ୍ରେ ତାହା ରେକର୍ଡ ହେଇଯାଉଛି । ଫଳରେ ରୋବୋ ବରାଦ ମୁତାବକ ଖାଦ୍ୟ ଆଣି ପାଖରେ ପହଞ୍ଚି ଯାଉଛି । ଏଭଳି ଏକ କୌତୁହଳପୂର୍ଣ୍ଣ ପରିବେଶ ଭେଟି ଦେଉଛି । ରୋବୋ ସହ କଥାବାର୍ତ୍ତା ଛଳରେ ରୋବୋ ପଚାରିଥିଲା, ଆମକୁ ଟିକେ ମାଡ଼ି ଚାଲ ଓ ବିଉଟିଫଚୁଲ ବୋଲି କୁହନ୍ତୁ । ଶ୍ରୀ ରାଉତରାୟ ଏହା ଶୁଣି ତାଙ୍କ ଚିରାଚରିତ ଢ଼ଙ୍ଗରେ କହିଥିଲେ ମାଡ଼ି ଚାଲ, ବିଉଟିଫୁଲ… । ଏହା ସେଠାରେ ଥିବା ଲୋକଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲା । ଏଥି ସହ ବିନ୍ଦାସ କଥାବାର୍ତ୍ତା ପାଇଁ ଚର୍ଚ୍ଚାରେ ରହି ଆସିଥିବା ଶ୍ରୀ ରାଉତରାୟଙ୍କ ସହ ଅନେକ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା ।