ଭୁବନେଶ୍ୱର : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍ ନେଚର, ଏଜୁକେସନ ଆଣ୍ଡ ହେଲ୍ଥ (ସ୍ନେହ) ଓ ମେନୋନାଇଟ୍ ସେଂଟ୍ରାଲ୍ କମିଟି (ଏମ୍.ସି.ସି)ର ମିଳିତ ଆନୁକୁଲ୍ୟରେ ସାଲିଆ ସାହି ସ୍ଥିତ ନୀଳଚକ୍ର ନଗର ବସ୍ତିରେ ଫୁଟ୍ବଲ୍ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଂଟରେ ନିତା ଅମ୍ବାନି ଫୁଟ୍ବଲ୍ ଏକାଡେମୀ ଏବଂ କିଟ୍ ବିଶ୍ୱବିଦ୍ୟାଳୟର ମହିଳା ଫୁଟ୍ବଲ୍ ଦଳ ମଧ୍ୟରେ ହୋଇଥିବା ମ୍ୟାଚ୍ ଶୂନ୍-ଶୂନ୍ ଗୋଲ୍ରେ ଅମୀମାଂସିତ ଭାବେ ସମାପ୍ତି ହୋଇଥିଲା ।
ଏଠାରେ ଉଲ୍ଲେଖ୍ୟଯୋଗ୍ୟଯେ ସ୍ନେହ ସଂସ୍ଥା ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଶାନ୍ତି ଏବଂ ସଦ୍ଭାବନା ପ୍ରତିଷ୍ଠା ଓ ସଚେତନତା ପାଇଁ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜନ କରିଆସୁଅଛି । କ୍ରୀଡା ମାଧ୍ୟମରେ ଭାତୃଭାବ, ସହନଶୀଳତା ଏବଂ ଦଳଗତ ନେତୃତ୍ୱ ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଆସୁଅଛି । ବିଶେଷକରି ବସ୍ତି ଅଂଚଳରେ ରହୁଥିବା ଅବହେଳିତ ଗୋଷ୍ଠୀ ମଧ୍ୟରେ ଆତ୍ମବିଶ୍ୱାସ ଏବଂ ଆତ୍ମମର୍ଯ୍ୟଦା ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଯୁବକ ଯୁବତୀ ମାନଙ୍କୁ ସଂଗଠିତ କରିବା ଉଦ୍ୟମ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।
ଏହି ଟୁର୍ଣ୍ଣାମେଂଟକୁ ସ୍ନେହର ଉପଦେଷ୍ଟା ସୁବାସ ଚନ୍ଦ୍ର ପଣ୍ଡା, ରାଜ୍ୟ ମହିଳା କମିଶନ ସଦସ୍ୟା ସ୍ନେହାଞ୍ଜଳୀ ମହାନ୍ତି, ନୟାପଲ୍ଲୀ ଥାନାର ସବ୍ ଇନ୍ସ୍ପେକ୍ଟର ସତ୍ୟନାରାୟଣ ବାରିକ୍ ଓ ସ୍ଥାନୀୟ ସମାଜସେବୀ ଅବଧୂତ ସ୍ୱାଇଁ (ଅବଲ) ମିଳିତ ଭାବେ ଉଦ୍ଘାଟନ କରିଥିଲେ । ଆସନ୍ତା ସେପ୍ଟେମ୍ବର ୨୧ ତାରିଖ ସନ୍ଧ୍ୟାରେ ସ୍ନେହ ଦ୍ୱାରା ଆନ୍ତର୍ଯ୍ୟାତୀୟ ଶାନ୍ତି ଦିବସ ଉପଲକ୍ଷେ ଇଡ୍କଲ୍ ଅଡିଟୋରିୟମ ଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଦୁଇ ଫୁଟବଲ୍ ଦଳକୁ ପୁରସ୍କୃତ କରାଯିବାର ଯୋଜନା ରହିଛି ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )