Odia News Portal

ଜାତୀୟ ସିନିଅର୍‌ ଟେବୁଲ୍ ଟେନିସ୍‌ ଉଦ୍‌ଯାପିତ: ଶରତ କମଲ ଚାମ୍ପିଅନ୍‌

କଟକ: ବୁଧବାର ଜାତୀୟ ସିନିଅର୍‌ ଟେବୁଲ୍ ଟେନିସ୍‌ ଚାମ୍ପିଅନ୍‌ସିପ୍ ଉଦ୍‌ଯାପିତ ହୋଇଯାଇଛି। କଟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗ ଦେଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ପୁରୁଷ ଏକକ ବର୍ଗରେ ଶରତ କମଲ ଚାମ୍ପିଅନ୍‌ ହୋଇଛନ୍ତି। ଏହି ବିଜୟ ସହ ଲଗାତର ୯ ଥର ପାଇଁ ସେ ଜାତୀୟ ଚାମ୍ପିଅନସିପ୍‌ରେ ବାଜି ମାରିଛନ୍ତି। ସେହିପରି ମହିଳା ଏକକ ବର୍ଗରେ ଅର୍ଚ୍ଚନା କାମଥ୍‌ ଚାମ୍ପିଅନ୍‌ ହୋଇଛନ୍ତି। ଦୀର୍ଘ ୧୮ ବର୍ଷର ବ୍ୟବଧାନ ପରେ କଟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ଏହି ଟେବୁଲ୍ ଟେନିସ୍‌ ଚାମ୍ପିଅନ୍‌ସିପ୍ ଖେଳାଯାଇଥିଲା। କଟକରେ ଏହି ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରାଯାଇଥିବା ଓଡ଼ିଶା ରାଜ୍ୟ ଟେବୁଲ୍‌ ଟେନିସ୍‌ ସଂଗଠନ ସଭାପତି ଏଲ୍‌.ଏନ୍‌ ଗୁପ୍ତା କହିଛନ୍ତି। ଏହି ସଫଳତା ପରେ ଆସନ୍ତା ଜୁଲାଇରେ କଟକ ଇନ୍‌ଡୋର ଷ୍ଟାଡିଅମ୍‌ରେ ଭାରତ ଟେବୁଲ୍‌ ଟେନିସ୍‌ ସଂଘ ପକ୍ଷରୁ ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ଚାମ୍ପିଅନସିପ୍‌ର ଆୟୋଜନ କରାଯିବ।