Odia News Portal

୧୫୧ ରନ ରେ ଅଟକିଲା ଅଷ୍ଟ୍ରେଲିଆ

ମେଲବୋର୍ନ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ୟ ତଥା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିଛି। ଭାରତୀୟ ଦଳର ପ୍ରଥମ ଇନିଂସ ସ୍କୋର ୪୪୩ ରନ୍‌ ଜବାବରେ ଘରୋଇ ଅଷ୍ଟ୍ରେଲିଆ ଦଳ ୧୫୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭ୍ରମଣକାରୀ ଭାରତ ପ୍ରଥମ ଇନିଂସରେ ୨୯୨ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଶୁକ୍ରବାର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୮/୦ରୁ ବ୍ୟାଟିଂ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ପେସର ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ଆଗରେ ଅଧିକ ସମୟ ତିଷ୍ଟି ପାରି ନ ଥିଲେ। ସେ ମାତ୍ର ୩୩ ରନ୍‌ ବ୍ୟୟରେ ୬ ଉଇକେଟ ନେଇଥିଲେ। ତାଙ୍କ ବ୍ୟତୀତ ସିରିଜ୍‌ରେ ପ୍ରଥମ ଟେଷ୍ଟ ଖେଳୁଥିବା ରବୀନ୍ଦ୍ର ଜାଡେଜା ଦୁଇ ଉଇକେଟ ନେଇଥିବାବେଳେ ଈଶାନ୍ତ ଶର୍ମା ଓ ମହମ୍ମଦ ସାମି ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଘରୋଇ ଦଳ ପକ୍ଷରୁ ମାର୍କସ ଷ୍ଟୋଇନ୍ସ ୨୨, ଅଧିନାୟକ ଟିମ ପେନ ୨୨, ଟ୍ରାଭିସ ହେଡ ୨୦ ଓ ଶନ ମାର୍ଶ ୧୯ ରନ୍‌ କରିଥିଲେ। ଭାରତୀୟ ଦଳ ନିକଟରେ ଅଷ୍ଟ୍ରେଲିଆ ଦଳକୁ ଫଲୋଅନ ଦେବାକୁ ସୁଯୋଗ ଥିଲା। ମାତ୍ର ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପୁଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।