ଭୁବନେଶ୍ୱର : ଷ୍ଟାର୍ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପୁଣିଥରେ ଓଡ଼ିଶା ପାଇଁ ସୁନାମ ଆଣିଛନ୍ତି । ସେ ଥାଇଲାଣ୍ଡ ପାରା ବ୍ୟାଡ଼ମିଣ୍ଟନରେ ଡବଲ୍ ରୌପ୍ୟ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ଏଥିସହ ଅନ୍ତର୍ଜାତୀୟ ସ୍ତରରେ ପ୍ରମୋଦଙ୍କ ସଫଳ ଅଭିଯାନ ଜାରି ରହିଛି । ଆହତ ସମସ୍ୟା ପ୍ରମୋଦଙ୍କ ସିଙ୍ଗଲ୍ସ ସ୍ୱର୍ଣ୍ଣ ପଦକ ଆଶା ଧୂଳିସାତ୍ କରି ଦେଇଥିଲା । ଏହାଛଡ଼ା ଡବଲ୍ସ ଫାଇନାଲ୍ରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।
ସଦ୍ୟ ସମାପ୍ତ ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ରେ ଡବଲ୍ ସ୍ୱର୍ଣ୍ଣ (ସିଙ୍ଗଲ୍ସ, ଡବଲ୍ସ) ଜିତିଥିବା ପ୍ରମୋଦ ସିଙ୍ଗଲ୍ସ ଫାଇନାଲ୍ରେ ଆହତ ହୋଇଥିଲେ । ସ୍ୱର୍ଣ୍ଣ ଲଢ଼େଇରେ ସେ ତାଙ୍କର ଡବଲ୍ସ ସାଥି ମନୋଜ ସରକାରଙ୍କୁ ଭେଟିଥିଲେ । ପ୍ରଥମ ଗେମ୍ରେ ସେ ୯-୧୧ରେ ପଛୁଆ ଥିବାବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ଫଳରେ ସେ ଓହରି ଯିବାକୁ ବାଧ୍ୟ ହୋଇଥିଲେ । ପ୍ରମୋଦ ପୂର୍ବରୁ ସେମି ଫାଇନାଲ୍ରେ ଜାପାନ ଖେଳାଳି ଦାଇଶୁଖି ଫୁଜୀହାରାଙ୍କୁ ୨୧-୧୮, ୧୫-୨୧, ୨୧-୧୬ ଗେମ୍ରେ ପରାସ୍ତ କରିଥିଲେ ।
ସେହିପରି ଡବଲ୍ସ ଫାଇନାଲ୍ରେ ପ୍ରମୋଦ ଓ ମନୋଜ ଯୋଡ଼ି ଥାଇଲାଣ୍ଡର ମୋଙ୍ଗଖୋନ୍ ବୁନସୁନ୍ ଓ ସିରିପୋଙ୍ଗ୍ ଟିମାରୋମ ଯୋଡ଼ିଙ୍କ ଠାରୁ ୧୬-୨୧, ୨୧-୮, ୧୪-୨୧ ଗେମ୍ରେ ପରାସ୍ତ ହୋଇଥିଲେ । ଏହି ମ୍ୟାଚ୍ରେ ପ୍ରମୋଦ-ମନୋଜ ଯୋଡ଼ି ପ୍ରଥମ ଗେମ୍ ହାରି ଯାଇଥିଲେ ମଧ୍ୟ ଦ୍ୱିତୀୟ ଗେମ୍ରେ ପ୍ରତ୍ୟାବର୍ତ୍ତନ କରି ସହଜ ବିଜୟ ହାସଲ କରିଥିଲେ । ତୃତୀୟ ଗେମ୍ରେ ଏହି ଭାରାତୀୟ ଯୋଡ଼ି ସଂଘର୍ଷ କରିଥିଲେ । ଫଳରେ ବୁନ୍ସୁନ୍ ଓ ଟିମାରୋମ ଯୋଡ଼ି ୨୧-୧୪ରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାତେଇ ନେଇଥିଲେ । ପ୍ରମୋଦ ଓ ମନୋଜ ପୂର୍ବରୁ ସେମି ଫାଇନାଲ୍ରେ ସିଧାସଳଖ ୨୧-୧୫, ୨୨-୨୦ ଗେମ୍ରେ ଥାଇଲାଣ୍ଡର ଚାବରତ ଓ ସଗ୍ନିଲ ସିଂହ ଯୋଡ଼ିଙ୍କୁ ପରାଜିତ କରିଥିଲେ ।
ଓଡ଼ିଶା ତାରକା ପ୍ରମୋଦ ଗତ ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ରେ ଡବଲ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ପୁରୁଷ ସିଙ୍ଗଲ୍ସ ଏସ୍ଏଲ୍-୩ ବର୍ଗ ଫାଇନାଲ୍ରେ ଇଂଲଣ୍ଡ ଖେଳାଳି ଡାନିଏଲ୍ ବିଥେଲଙ୍କୁ ୬-୨୧, ୨୧-୧୪, ୨୧-୫ ଗେମ୍ରେ ପରାସ୍ତ କରିଥିଲେ । ସେହିପରି ମନୋଜ ସରକାରଙ୍କୁ ସାଥି କରି ପ୍ରମୋଦ ଡବଲ୍ସ ଫାଇନାଲ୍ରେ ୧୪-୨୧, ୨୧-୧୫, ୨୧-୧୬ ଗେମ୍ରେ ନିତେଶ କୁମାର ଓ ତରୁଣ ଧିଲୋନ୍ ଯୋଡ଼ିଙ୍କୁ ହରାଇଥିଲେ ।
ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଦୌଡ଼ରେ ପ୍ରମୋଦ ଆଗରେ
ଭାରତର ତାରକା ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଦୌଡ଼ରେ ଆଗୁଆ ରହିଛନ୍ତି । ସେ ଏବେ ବିଶ୍ୱର ଏକନମ୍ବର ଖେଳାଳି । ପ୍ରମୋଦ ମୋଟ ୫,୫୩୦ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି । ମାନ୍ୟତା ତାଲିକାରେ ମନୋଜ ସରକାର ତୃତୀୟ (୨,୫୭୦ପଏଣ୍ଟ) ସ୍ଥାନରେ ରହିଛନ୍ତି । ଇଂଲଣ୍ଡର ଡାନିଏଲ୍ ବିଥେଲ ୩,୪୧୦ପଏଣ୍ଟ ସହ ଦ୍ୱିତୀୟ, ଜାପାନର ଦାଇସୁଖି ଫୁଜିହାରା ୨,୪୮୦ପଏଣ୍ଟ ସହ ଚତୁର୍ଥ, ୟୁକୁନ୍ ରୁକାଇନ୍ଦି ୨,୨୧୦ପଏଣ୍ଟ ସହ ପଞ୍ଚମ ଏବଂ ବିକ୍ରମ କୁମାର ୧,୪୭୦ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛନ୍ତି ।
ଚାଇନା ପାରା ବ୍ୟାଡ଼ମିଣ୍ଟନ ଖେଳିବା ଲକ୍ଷ୍ୟରେ ପ୍ରମୋଦ
ଥାଇଲାଣ୍ଡ ପାରା ବ୍ୟାଡ଼ମିଣ୍ଟନରେ ଆହତ ସମସ୍ୟା ପ୍ରମୋଦଙ୍କ ସ୍ୱର୍ଣ୍ଣ ଆଶା ଧୂଳିସାତ୍ କରି ଦେଇଥିଲା । ଯାହାକୁ ନେଇ ସେ ମର୍ମାହତ ହୋଇଥିଲେ । ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ସେ କହିଛନ୍ତି, ସିଙ୍ଗଲ୍ସରେ ରୌପ୍ୟ ପଦକ ଜିତିଲି, ଏଥିରେ ମୋର କୌଣସି ଦୁଃଖ ନାହିଁ । ଆହତ ସମସ୍ୟା କାରଣରୁ ମନୋଜଙ୍କ ସହ ପୂର୍ଣ୍ଣ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଥିଲି । ଆଗାମୀ ଚାଇନା ପାରା ବ୍ୟାଡ଼ମିଣ୍ଟନ ଖେଳିବାକୁ ମୁଁ ଟାର୍ଗେଟ ରଖିଥିବାରୁ କୌଣସି ରିକ୍ସ ନେବାକୁ ଚାହିଁ ନଥିଲି । ଆଉ ୩ଦିନ ପରେ ଚାଇନା ପାରା ବ୍ୟାଡ଼ମିଣ୍ଟନ (ସେପ୍ଟେମ୍ବର ୨୪ରୁ ୨୯ତାରିଖ) ଆରମ୍ଭ ହେବ । ମୋତେ ମାତ୍ର ୩ଦିନ ବିଶ୍ରାମ ମିଳିବ । ଏଥିରେ ମୁଁ ସଫଳ ପ୍ରଦର୍ଶନ କରିବା ନେଇ ଆଶାବାଦୀ ରହିଛି ।’